ଅପରାଧ ନକରି ବି ହୋଇଥିଲେ ଦୋଷୀ, ୪୫ ବର୍ଷ ପୂର୍ବେ ମିଳିଥିଲା ଫାଶୀ ଦଣ୍ଡ, ଏବେ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ: ଦୁନିଆରେ ଅନେକ ଉଦାହରଣ ରହିଛି, ଯେଉଁଠି ଦୋଷ ନକରି ବି ଜଣେ ଦଣ୍ଡ ପାଇଥାଏ । କିନ୍ତୁ ଜାପାନରୁ ସାମନାକୁ ଆସିଥିବା ଘଟଣା ହୁଏତ ଦୁନିଆ ଇତିହାସରେ ସବୁଠୁ ବିରଳ । ଏଠି ଜଣେ ନିରୀହ ବ୍ୟକ୍ତି ନିଜ ଜୀବନର ଅଧା ସମୟକୁ ଜେଲର ଚାରି କାନ୍ଥ ଭିତରେ ବିତାଇଛନ୍ତି । ନାଁ-ଇବାଓ ହାକାମାଡା, ବୟସ-୮୮ ବର୍ଷ । ନିଜ ମାଲିକ ଏବଂ ପରିବାର ଲୋକଙ୍କ ହତ୍ୟା ମାମଲାରେ ହାକାମାଡାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୪୫ ବର୍ଷ ଧରି ସେ ଜେଲରେ ବନ୍ଦୀ ଜୀବନ ବତାଉଥିଲେ । ବଞ୍ଚିବାର ଆଶା ନଥିଲା, କାରଣ ଜାପାନରେ ଯେତେ ଜଣଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯାଇଛି ପ୍ରାୟ ସମସ୍ତେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । କିନ୍ତୁ କଥାରେ ଅଛି ରଖେ ହରି ତ ମାରେ କିଏ । ଜାପାନରେ ସବୁଠୁ ଦୀର୍ଘ ବର୍ଷ ଯାଏ ଜେଲରେ ରହି ମୃତ୍ୟ ଦଣ୍ଡ ବିତାଇଥିବା ହାକାମାଡାଙ୍କୁ ଶେଷରେ ନ୍ୟାୟ ମିଳିଛି । 

ମାମଲା ଜାପାନର ଶିଜୁଓକା ସହରର । ବର୍ଷ ଥାଏ ୧୯୬୬ ମସିହା । ପ୍ରଫେସନାଲ ବକ୍ସର ହାକାମାଡା ଏକ ମିସୋ ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ । ସେହି ସମୟରେ ପ୍ଲାଣ୍ଟ ମାଲିକ, ତାଙ୍କ ସ୍ତ୍ରୀ ଦୁଇ ପିଲାଙ୍କ ହତ୍ୟା ହୋଇଯାଏ । ଚାରି ଜଣଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥାଏ । ଘଟଣାରେ ପୋଲିସ ହାକାମାଡାଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ମାମଲା ଚଲାଇଲା । ରିପୋର୍ଟ ଅନୁସାରେ ଦାବି କରାଯାଇଥିଲା ଯେ ୨ ଲକ୍ଷ ୟେନ ଚୋରି କରିବା ପାଇଁ ହାକାମାଡା ଏହି ହତ୍ୟା କରିଥିଲେ । ପ୍ରମାଣ ଭାବେ ପୋଲିସ ରକ୍ତ ଜୁଡ଼ୁବୁଡୁ କିଛି ପୋଷାକ ସାମନାରେ ରଖିଥିଲା । ଦୀର୍ଘ ଦିନ ଶୁଣାଣି ପରେ ୧୯୬୮ ମସିହାରେ କୋର୍ଟ ହାକାମାଡାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । କିନ୍ତୁ ଜାପାନର ଜଟିଳ ଆବେଦନ ଏବଂ ଟ୍ରାଏଲ ପ୍ରକ୍ରିୟା ଯୋଗୁଁ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହୋଇପାରୁ ନଥିଲା ।


ଦୀର୍ଘ ବର୍ଷ ଜେଲରେ ବିତାଇବା ପରେ ହାକାମାଡା ଦେହ ଖରାପ ହେବାରେ ଲାଗିଥିଲା । ଠିକରେ କଥା କହିପାରୁ ନଥିଲେ, କି ଶୁଣାଣି ବେଳେ ହାଜର ବି ହୋଇପାରୁ ନଥିଲେ । କିନ୍ତୁ ସେ ନିର୍ଦ୍ଦୋଷ ବୋଲି ପରିବାର ଲୋକଙ୍କ ବିଶ୍ୱାସ ଥିଲା । ତାଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷରେ ଲାଗି ରହିଲେ । ଶେଷରେ ହାକାମାଡ଼ାଙ୍କ ଭଉଣୀଙ୍କ ଆବେଦନରେ ୨୦୧୪ରେ କୋର୍ଟ ମାମଲାରେ ପୁଣି ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହ ହାକାମାଡାଙ୍କୁ ଜାମିନ ଦେଲେ । ୯୧ ବର୍ଷୀୟ ତାଙ୍କ ଭଉଣୀ ସେବେଠାରୁ ତାଙ୍କର ଦେଖାଶୁଣା କରୁଥିଲେ । 

ଏବେ କୋର୍ଟ ମାମଲାର ଶୁଣାଣିରେ ପୋଲିସର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି । କୋର୍ଟ କହିଛନ୍ତି, 'ହାକାମାଡ଼ାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ମିଛ ପ୍ରମାଣ ତିଆରି କରିଥିଲା । ଯେଉଁ ରକ୍ତ ଭିଜା ପୋଷାକ ଦିଆଯାଇଛି, ସେଥିରେ ହାକାମାଡାଙ୍କ ଫିଙ୍ଗରପ୍ରିଣ୍ଟ ନାହିଁ । ପୋଷାକାରୁ ମିଳିଥିବା ଡିଏନଏ ସହ ହାକାମାଡାଙ୍କ ଡିଏନଏ ମେଳ ଖାଉ ନାହିଁ । ଯାହା ସ୍ପଷ୍ଟ କରୁଛି ଏହି ପୋଷାକା ହାକାମାଡ଼ାଙ୍କ ନୁହେଁ ।' ଯୁଦ୍ଧ ପରବର୍ତ୍ତୀ ଜାପାନ କ୍ରିମିନାଲ୍ ଜଷ୍ଟିସ୍ ଇତିହାସରେ ଫାଶୀ ଦଣ୍ଡ ପାଇ ମୁକୁଳିବାରେ ହାକାମାଡା ପଞ୍ଚମ ବ୍ୟକ୍ତି ହୋଇଛନ୍ତି । ଏହି ଘଟଣା ପରେ ଜାପାନରେ ଫାଶୀ ଦଣ୍ଡ ଉପରେ ପୁଣି ଏକ ବଡ଼ ବିତର୍କ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.