ଫ୍ଲୋରିଡା ୧୪।୧୧: ଆମେରିକା ନିର୍ବାଚନ ଜିତିବା ପରେ ସାରା ଦୁନିଆରେ ଏବେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ନୂଆ ଟିମକୁ ନେଇ ଚର୍ଚ୍ଚା ହେଉଛି। ହେଲେବି କିଛି ଲୋକେ ଟ୍ରମ୍ପଙ୍କ ବିଜୟରେ ଖୁସି ନାହାନ୍ତି। ଏପରି ଅସନ୍ତୁଷ୍ଟ ଲୋକଙ୍କ ପାଇଁ ଫ୍ଲୋରିଡାର ଏକ ଟ୍ରାଭେଲ କମ୍ପାନୀ ଅନନ୍ୟ ଅଫର ନେଇ ଆସିଛି। ଏଥିରେ ଲୋକଙ୍କୁ ୪ ବର୍ଷ କ୍ରୁଜରେ ରହି ବିଶ୍ୱ ଭ୍ରମଣ କରିବା ପାଇଁ ଅଫର ଦିଆଯାଉଛି। ଯାହା ଦ୍ୱାରା ଲୋକେ ଟ୍ରମ୍ପଙ୍କ ଶାସନରୁ ୪ ବର୍ଷ ବର୍ତ୍ତି ରହିପାରିବେ।
୭ ମହାଦ୍ୱୀପର ୧୫୦ ସ୍ଥାନ କରିପାରିବେ ଭ୍ରମଣ
ଏହି ଟ୍ରାଭେଲ ଟ୍ରିପ୍କୁ ‘ସ୍କିପ୍ ଫରୱାର୍ଡ’ ନାମ ଦିଆଯାଇଛି। ଏଥିରେ ଟ୍ରାଭେଲ କମ୍ପାନୀ ଆଗାମୀ ୪ ବର୍ଷ କ୍ରୁଜରେ ସାରା ବିଶ୍ୱ ଭ୍ରମଣ କରାଇବ। ଏଥିରେ ବିଶ୍ୱର ଅନେକ ପ୍ରଶିଦ୍ଧ ସ୍ଥଳ ମଧ୍ୟ ରହିବ। ୭ ମହାଦ୍ୱୀପର ମୋଟ ୧୫୦ଟି ସ୍ଥାନକୁ ଏଥିରେ ସାମିଲ କରାଯାଇଛି। ଯେଉଁ ପର୍ଯ୍ୟନ୍ତ ଆପଣ ଫେରିବେ ସେତେବେଳକୁ ଆମେରିକାରେ ଟ୍ରମ୍ପଙ୍କ ଶାସନ ଶେଷ ହୋଇ ସାରିଥିବ। ଏହି କ୍ରୁଜରେ ଯାଉଥିବା ଲୋକଙ୍କୁ କେବେ ବି ଅନୁଭବ ହେବନି ଆମେରିକାରେ ଟ୍ରମ୍ପ ଶାସନ କରୁଛନ୍ତି ।
କମ୍ପାନୀ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଆପଣ ଏହି କ୍ରୁଜ ଟ୍ରିପକୁ ୪ ବର୍ଷରେ କେବେବି ଜଏନ କରିପାରିବେ। ଏହି ଯାତ୍ରା ଜାହାଜରେ ଯାତ୍ରୀଙ୍କୁ ଏକ ସମ୍ପୂର୍ଣ୍ଣ ଜୀବନ ବଞ୍ଚିବାର ସୁଯୋଗ ଦେଉଛି, ଯେଉଁଥିରେ ଆରମ ଓ କାମ ସବୁର ଖିଆଲ ରଖାଯିବ।
କ୍ରୁଜରେ ମିଳିବ କେଉଁସବୁ ସୁବିଧା?
ଗେଷ୍ଟଙ୍କୁ ଏହି କ୍ରୁଜ ଯାତ୍ରା କାଳରେ ସ୍ୱାଦିଷ୍ଟ ଭୋଜନ, ହାଇସ୍ପିଡ୍ ଇଣ୍ଟରନେଟ୍, ୱେଲନେସ୍ ପ୍ରୋଗ୍ରାମ ଏପରିକି ସାରା ବିଶ୍ୱର ବନ୍ଦରମାନଙ୍କରେ ଅଟକିବା କାଳରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ମଧ୍ୟ ନେଇ ପାରିବେ। ଏହା ସମ୍ପୂର୍ଣ୍ଣ ରୂପେ ଲଗଜୁରି କ୍ରୁଜ ହେବ। ଏଠାରେ ଲାଇବ୍ରେରୀ ଓ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ମିଳିବ। ତେବେ ଏହି ବିସ୍ତାରିତ ଯାତ୍ରା ନିମନ୍ତେ ବିପୁଳ ବ୍ୟୟ କରିବାକୁ ପଡିବ। ୪ ବର୍ଷର ଯାତ୍ରା ନିମନ୍ତେ ଗୋଟେ କ୍ୟାବିନ ଲାଗି ପ୍ରତି ଯାତ୍ରୀଙ୍କୁ ୨,୫୫,୯୯୯ ଡଲାର ଅର୍ଥାତ ୨.୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ। ଏଥିରେ ଡବଲ ଅକ୍ୟୁପାନ୍ସି କ୍ୟାବିନ ନିମନ୍ତେ ୩,୧୯,୯୯୮ ଡଲାର ଅର୍ଥାତ ୩.୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ।