ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ସୋସିଆଲ୍ ମିଡିଆ ସାଇଟ୍ ‘ଏକ୍ସ’ ଛାଡ଼ିଲେଣି ଲକ୍ଷାଧିକ ୟୁଜର

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ଇଲନ ମସ୍କ ୨୦୨୨ରେ ଟ୍ୱିଟର କିଣିବା ପରେ ଏଥିରେ ଗ୍ରାହକଙ୍କ ସଂଖ୍ୟା କମି କମି ଚାଲିଛି। ବିଶେଷ କରି ଡୋନାଲ୍ଡ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ଆମେରିକୀୟ ଗଣମାଧ୍ୟମ ସିଏନ୍‌ଏନ ରିପୋର୍ଟ ପ୍ରକାଶ କରିଛି। ଗ୍ରାହକମାନେ ଟ୍ୱିଟର ଆକାଉଣ୍ଟ ବନ୍ଦ କରି ଏହାର ପ୍ରତିଦ୍ୱନ୍ଦ୍ୱୀ ବ୍ଲୁସ୍କାଏରେ ନିଜ ସୋସିଆଲ୍ ଆକାଉଣ୍ଟ ଖୋଲୁଛନ୍ତି।

ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସିମିଲାରୱେବର ଗବେଷଣା ରିପୋର୍ଟକୁ ଆଧାର କରି ସିଏନ୍‌ଏନଏନ କହିଛି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପର ଦିନ ୧୧୫,୦୦୦ ୟୁଜର ନିଜର ଏକ୍ସ ଆକାଉଣ୍ଟ ଡିଆକ୍ଟିଭେଟ୍ କରିଛନ୍ତି। ଏହି ତଥ୍ୟ କେବଳ ୱେବ୍‌ସାଇଟ୍‌ ମାଧ୍ୟମରେ ଖୋଲାଯାଇଥିବା ଏକ୍ସ ଆକାଉଣ୍ଟ ଉପରେ ପର୍ଯ୍ୟବେଶିତ। ତେବେ ମୋବାଇଲରେ ଏକ୍ସ ଆପ୍ ବ୍ୟବହାରକାରୀଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। 

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପକୁ ଜିତାଇବାକୁ ଏଲନ ମସ୍କଙ୍କ ଭୂମିକା ରହିଥିଲା। ଟ୍ରମ୍ପଙ୍କୁ ସହଯୋଗ କରିବାକୁ ମସ୍କ ମାସ ମାସ ଧରି ଏକ୍ସରେ ପୋଷ୍ଟ କରି ପ୍ରଚାର ମଧ୍ୟ କରୁଥିଲେ। ରାଷ୍ଟ୍ରପତି ନିର୍ବାଚନକୁ ଟେସ୍‌ଲା ସିଇଓ ପ୍ରଭାବିତ କରିଥିବାରୁ ୟୁଜର ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଛାଡ଼ୁଥିବା କୁହାଯାଉଛି। ଅନ୍ୟପଟେ ୯୦ ଦିନରେ ବ୍ଲୁସ୍କାଏ ୟୁଜର ସଂଖ୍ୟା ୧୫ ମିଲିଅନରେ ପହଞ୍ଚିଛି। ଗୋଟିଏ ସପ୍ତାହରେ ଏକ ମିଲିଅନ ୟୁଜର ବ୍ଲୁସ୍କାଏରେ ଯୋଡ଼ି ହେବା ପରେ ଏହାର ୟୁଜର ବେସ୍ ବଢିଛି। 

ଏକ୍ସରେ ଅଶାଳୀନ ଭାଷା ଆଦି ବ୍ୟବହାର ବଢ଼ିଯାଇଛି। ଏହା ବାଦ୍‌ ପୂର୍ବରୁ କରିଥିବା ଅନେକ ପରିବର୍ତ୍ତନ ଯଥା ମୋଡରେଟରଙ୍କୁ ହଟାଇବା,ବ୍ୟାନ୍ ଆକାଉଣ୍ଟ ପୁନଃକାର୍ଯ୍ୟକ୍ଷମ କରିବା, ନାଜୀ ଓ ଅତିଋୁଢ଼ିବାଦୀଙ୍କ ଆକାଉଣ୍ଟଙ୍କୁ ଅନୁମତି ଦେବା ଓ ଅନ୍ୟାନ୍ୟ ପରିବର୍ତ୍ତନ ପାଇଁ ଏଥିରେ ଗ୍ରାହକଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟରେ କୁହାଯାଇଛି। 

ସୂଚନା ଥାଉକି ପ୍ରଖ୍ୟାତ ସାମ୍ବାଦିକ ଚାର୍ଲେ ୱାରଜେଲ, ନ୍ୟୁୟର୍କ ଟାଇମ୍ସର ମାରା ଗେ ଏବଂ ପୂର୍ବତନ ସିଏନଏନ ଉପସ୍ଥାପକ ଡନ ଲେମନ ଚଳିତ ସପ୍ତାହରେ ତାଙ୍କ ଏକ୍ସ ଆକାଉଣ୍ଟ ବନ୍ଦ କରି ସେମାନେ ବ୍ଲୁସ୍କାଏ ୟୁଜ କରିଥିବା ଘୋଷଣା କରିଥିଲେ। ସବୁଠାରୁ ବଡ଼କଥା ହେଲା ବ୍ରିଟିସ ଖବର କାଗଜ ଦି ଗାର୍ଡିଆନ ମଧ୍ୟ ଏକ୍ସ ଆକାଉଣ୍ଟ ଛାଡ଼ୁଥିବା ଘୋଷଣା କରିଥିଲା। 

ଆମେରିକା ନିର୍ବାଚନ ପ୍ରକ୍ରିୟାରେ ମସ୍କଙ୍କ ପ୍ରଭାବକୁ ଦାୟୀ କରି ଦି ଗାର୍ଡିଆନ ନିଜର ଏକ୍ସ ଆକାଉଣ୍ଟ ଡିଆକ୍ଟିଭ୍ କରିଛି। ଏକ୍ସରେ ଆଉ କୌଣସି ପୋଷ୍ଟ କରାଯିବ ନାହିଁ ବୋଲି ବୁଧବାର ଗାର୍ଡିଆନ ଖବର କାଗଜ ପକ୍ଷରୁ ଘୋଷଣା କରାଯାଇଛି। ଏକ୍ସ ବର୍ତ୍ତମାନ ବିଷାକ୍ତ ହୋଇଯାଇଛି। କାରଣ ରାଜନୀତିକୁ ପ୍ରଭାବିତ କରିବା ପାଇଁ ମସ୍କ ଏହାକୁ ବ୍ୟବହାର କରୁଛନ୍ତି ବୋଲି ଦ ଗାର୍ଡିଆନ କହିଛି। ସୂଚନା ଥାଉକି ଏକ୍ସରେ ଗାର୍ଡିଆନର ୮୦ ଆକାଉଣ୍ଟ ରହିଛି। ଏଥିରେ ପାଖାପାଖି ୨୭ ମିଲିଅନ ଫଲୋଅର୍ସ ରହିଛନ୍ତି। 

ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ଭାବେ ପ୍ରଚାର କରିଥିଲେ। ଟ୍ରମ୍ପ ନିର୍ବାଚନ ଜିତିବା ପରେ ତା’ର ଫଳ ମସ୍କଙ୍କୁ ମିଳିଛି। ଟ୍ରମ୍ପ ‘ଡିଓଜିଇ’ ନାମରେ ଏକ ନୂଆ ବିଭାଗ ଗଠନ କରିଛନ୍ତି। ଏହି ବିଭାଗରେ ମୂଳଭାରତୀୟ ଆମେରିକା ରାମାଶ୍ୱାମୀ ଓ ଏଲନ ମସ୍କଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇ ଜଣ ଆମେରିକା ସରକାର ହେଉଥିବା ଅଯଥା ଖର୍ଚ୍ଚ କାଟର ତଦାରଖ କରି ଏହାକୁ ରୋକିବେ। ଦରକାର ପଡ଼ିଲେ ଅଯଥା ସରକାରୀ ଚାକିରି ଛଟେଇ ମଧ୍ୟ ହେବ। ସରକାରରେ ମସ୍କ ଲିପ୍ତ ହେବା ପରେ ଏକ୍ସ କେବଳ ଏକ ସରକାରୀ ମୁଖପାତ୍ର ହୋଇପାରେ ବୋଲି ୟୁଜର କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.