ନୂଆଦିଲ୍ଲୀ ୧୪/୧୧: ବିଷାକ୍ତ ହେଲାଣି ସୋଶାଲ ମିଡିଆ ପ୍ଲାଟଫର୍ମ X । ଘୃଣା ପ୍ରସାର କରୁଛି ମସ୍କଙ୍କ X । ସାରା ବିଶ୍ୱରେ ବିଷ ବାଣ୍ଟୁଛନ୍ତି ଏଲନ ମସ୍କ । ଏଭଳି କିଛି ବଡ଼ ଅଭିଯୋଗ ଆଣି ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ୍ ଏହାର ବ୍ୟବହାରକୁ ବ୍ୟାନ୍ କରିଦେଇଛି। ଖବରକାଗଜ କହିଛି ଯେ ଜାତିଭେଦ ଏବଂ ଷଡ଼ଯନ୍ତ୍ର ଥିଓରୀ ସହିତ ଆପତ୍ତିଜନକ ବିଷୟ ବସ୍ତୁ ଏକ୍ସରେ ବୃଦ୍ଧି ପାଇଛି।
ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଘୃଣା ପ୍ରଚାର କରୁଥିବା ନେଇ ଏଲୋନ୍ ମସ୍କଙ୍କୁ ଦାୟୀ କରିଛି ଖବରକାଗଜ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଗାର୍ଡିଆନ୍ Xକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି । ନଭେମ୍ବରରେ ୧୩ରେ ପ୍ରକାଶିତ ଏକ ଆର୍ଟିକିଲରେ ଗାର୍ଡିଆନ୍ କହିଛି ଯେ ଆମେ ଅନୁଭବ କରୁଛୁ ଯେ X ରେ ରହିବା ଆଉ ଉପଯୋଗୀ ନୁହେଁ। ଏଠାରେ ନକାରାତ୍ମକତା ବୃଦ୍ଧି ପାଇଛି।
ଗାର୍ଡିଆନ ଆହୁରି କହିଛି, X ବର୍ତ୍ତମାନ ଏକ ବିଷାକ୍ତ ପ୍ଲାଟଫର୍ମରେ ପରିଣତ ହୋଇଛି । ବର୍ତ୍ତମାନ ଏଠାରେ ପ୍ରଚୁର ପରିମାଣରେ ବିଷାକ୍ତ କଣ୍ଟେଣ୍ଟ ଭର୍ତ୍ତି ରହିଛି। ଆମେ ଆମ କଣ୍ଟେଣ୍ଟକୁ ପ୍ରମୋଟ କରିବା ପାଇଁ ଅନ୍ୟ କୌଣସି ସମାଧାନର ବାଟ ବାହାର କରିପାରିବୁ। ନିଜ ରାଜନୈତିକ ଚିନ୍ତାଧାରାକୁ ତୀକ୍ଷ୍ଣ କରିବା ପାଇଁ ଏଲୋନ୍ ମସ୍କ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି।
ସୂଚନା ଥାଉକି, ୧୮୨୧ରେ ପ୍ରତିଷ୍ଠା ହୋଇଥିଲା ଦି ଗାର୍ଡିଆନ୍ । ସେତେବେଳେ ଏହାର ନାମ ମଞ୍ଚେଷ୍ଟର ଥିଲା କିନ୍ତୁ ୧୯୫୯ରେ ଏହାର ନାମ ଗାର୍ଡିଆନ୍ ରୂପେ ପରିବର୍ତ୍ତିତ ହୋଇଥିଲା। ଏହାର ମୁଖ୍ୟାଳୟ ଲଣ୍ଡନକୁ ସ୍ଥାନାନ୍ତରିତ ହୋଇଥିଲା। X ରେ ଗାର୍ଡିଆନ୍ର ଅଫିସିଆଲ୍ ଆକାଉଣ୍ଟରେ ୧୦.୮ ନିୟୁତ ଫଲୋଅର୍ସ ଅଛନ୍ତି।