ନୂଆଦିଲ୍ଲୀ: ଆମେରିକାରେ ଗୌତମ ଆଦାନୀଙ୍କ ଉପରେ ଲାଞ୍ଚ ଦେଉଥିବା ଅଭିଯୋଗ ଲାଗିବା ପରେ ଆଦାନୀ ଗ୍ରୁପ ସହ ଡିଲ୍ କ୍ୟାନ୍ସଲ କରିବାକୁ ନିର୍ଦ୍ଦେଶ ଦେଲେ କେନିଆ ସରକାର। ରାଷ୍ଟ୍ରପତି ୱିଲିୟମ ରୁଟୋ ଗୁରୁବାର ଏହି ସୂଚନା ଦେଇଛନ୍ତି। କେନିଆ ସରକାର ଦେଶର ପ୍ରମୁଖ ବିମାନ ବନ୍ଦରର ପରିଚାଳନା ଦାୟିତ୍ୱ ଆଦାନୀ ଗ୍ରୁପ ହାତକୁ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ଦେଶରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏବେ ଆମେରିକାରେ ଅଭିଯୋଗ ଲାଗିବା ପରେ ଆଦାନୀ ସହ ଚୁକ୍ତି ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନିଆ ସରକାର।
କେବଳ ଏହି ଗୋଟିଏ ଡିଲ୍ ନୁହେଁ, ଗତ ମାସରେ ଆଦାନୀ ଗ୍ରୁପ ସହ କେନିଆ ଶକ୍ତି ମନ୍ତ୍ରଣାଳୟ କରିଥିବା ୭୩୬ ମିଲିଅନ ଡଲାରର ୩୦ ବର୍ଷୀୟ ପବ୍ଲିକ ପ୍ରାଇଭେଟ ପାର୍ଟନର୍ସିପ୍ ଡିଲକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରୋଜେକ୍ଟରେ ଆଦାନୀ ଗ୍ରୁପ କେନିଆରେ ପାୱାର ଟ୍ରାନ୍ସମିସନ ଲାଇନ୍ସ ନିର୍ମାଣ କରିବାର ଡିଲ୍ ହୋଇଥିଲା। ଡିଲ ରଦ୍ଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ରୁଟୋ କହିଛନ୍ତି “ ଆଦାନୀ ସହ ଜାରି ରହିଥିବା କିଣିବା ପ୍ରକ୍ରିୟା ତୁରନ୍ତ ବାତିଲ କରିବାକୁ ମୁଁ ପରିବହନ ମନ୍ତ୍ରଣାଳୟ ଏବଂ ଶକ୍ତି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।” ପଡ଼ୋଶୀ ଦେଶଗୁଡ଼ିକ ଦ୍ୱାରା ଦିଆଯାଇଥିବା ତଥ୍ୟ ଓ ତଦନ୍ତକାରୀ ଅଫିସରଙ୍କ ସୂଚନା ଅନୁସାରେ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ରୁଟୋ କହିଛନ୍ତି।
ସୂଚନା ଥାଉକି ବୁଧବାର ଆମେରିକା ସରକାର ଆଦାନୀ ଗ୍ରୁପ ଉପରେ ଏକ ସାଂଘାତିକ ଅଭିଯୋଗ ଲଗାଇଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅନ୍ୟ ୭ଜଣ ଅଭିଯୁକ୍ତ ଭାରତୀୟ ସରକାରୀ ଅଧିକାରୀଙ୍କୁ ପ୍ରାୟ ୨୬୫ ନିୟୁତ ଡଲାର (୨,୦୨୯ କୋଟି ଟଙ୍କା) ଲାଞ୍ଚ ଯାଚିଥିଲେ। ଭାରତରେ 12 ଗିଗାୱାଟ ସୋଲାର ଏନର୍ଜୀ ଦୁର୍ନୀତି ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। ଯେଉଁଥିରେ ଆମେରିକାର ଏକ କମ୍ପାନୀ ମଧ୍ୟ ସାମିଲ ରହିଛି। ତେବେ ଆଦାନୀ ଗ୍ରୁପଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ମାମଲାରେ କମ୍ପାନୀ ଯଥା ସମ୍ଭବ ସମସ୍ତ ଆଇନଗତ ଆଶ୍ରୟ ନେବ ବୋଲି କହିଛି।
ଅନ୍ୟପଟେ ଆମେରିକାରେ ଅଭିଯୋଗ ଲାଗିବା ପରେ ଗୁରୁବାର ସକାଳେ କେନିଆ ଶକ୍ତି ମନ୍ତ୍ରୀ ଓପିୟୋ ୱାନ୍ଦାୟୀ ପ୍ରତିକ୍ରିୟା ଦେଇଥିଲେ। ଆଦାନୀଙ୍କୁ ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ କରିବାକୁ ଦିଆଯାଇଥିବା କଣ୍ଟ୍ରାକ୍ଟରେ କୌଣସି ଲାଞ୍ଚ କାରବାର ହୋଇ ନାହିଁ ବୋଲି ଓପିୟୋ କହିଥିଲେ।