ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ । ଗୁରୁବାର ଭୋଟ୍ ଦେଉଛି ପଡୋଶୀ ଦ୍ବୀପଦେଶ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ରେଜଲ୍ଟ ବାହାରିବ । ଏହି ନିର୍ବାଚନ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଶ୍ରୀଲଙ୍କାରେ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ଏବଂ ଅର୍ଥବ୍ୟବସ୍ଥା ସୁଧାରିବା ଦିଗରେ କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରପତି ଭାବେ ଚୟନ କରାଯାଉଛି । ତେଣୁ ଏହି ସଂସଦୀୟ ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ ।
ଦେଶର ବାମପନ୍ଥୀ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ବାଚନ ହେଉଛି । ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ଏହି ନିର୍ବାଚନ ହେଉଛି । ଦେଶର ଆର୍ଥିକ ସଂକଟ ଯୋଗୁ ୨୦୨୨ରେ ତତକାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଥିଲେ । ଆଜିର ନିର୍ବାଚନରେ ୧କୋଟି ୭୧ ଲକ୍ଷରୁ ଅଧିକ ଭୋଟର ୮, ୮୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଦିସାନାୟକେଙ୍କ ଜେଭିପି ନେତୃତ୍ବାଧୀନ ନ୍ୟାସନାଲ ପିପୁଲ୍ସ ପାଓ୍ବାର ବା ଏନପିପି ବହୁମତ ହାସଲ କରିବ ବୋଲି ଆଶା କରାଯାଉଛି । ପୂର୍ବ ସଂସଦରେ ଏନପିପିର ସଦସ୍ୟ ସଂଖ୍ୟା ଥିଲେ ମାତ୍ର ୩ ଜଣ । ଦିଶାନାଏକେ ଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ ସରକାରରେ ମଧ୍ୟ କୃଷିମନ୍ତ୍ରୀ ରହିଛନ୍ତି । ତେବେ ଦେଶରେ ଅର୍ଥନୈତିକ ସଂକଟ ବେଳେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ । ୨୦୨୪ ସେପ୍ଟେମ୍ବର ୨୧ରେ ସେ ଶାନ୍ତିପୂର୍ଣ୍ଣ ଭାବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସମୟରେ ଶ୍ରୀଲଙ୍କାକୁ ମିଳିଥିଲା ୨.୯ ବିଲିୟନ ଡଲାରର ଆଇଏମଏଫ ବେଲ୍ ଆଉଟ୍ ପ୍ୟାକେଜ୍ । ତେବେ ଏହି ଧାରା ବଜାୟ ରହିବ ବୋଲି ଦିଶାନାଏକେ କରିଥିଲେ ଘୋଷଣା । ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ସଂଗଠନ ସିଲନ ଚାମ୍ବର ଅଫ କମର୍ସ ଦିଶାନାଏକେଙ୍କୁ ସମର୍ଥନ କରୁଛି ।