ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ପରି ପାକିସ୍ତାନରେ ବି ପ୍ରଦୂଷଣ ଭୟଙ୍କର ରୂପ ନେଇଛି। ଏଥିପାଇଁ ଶୁକ୍ରବାର ପାକିସ୍ତାନ ପଞ୍ଜାବ ରାଜ୍ୟରେ ସ୍ୱାସ୍ଥ୍ୟଗତ ଜରୁରିକାଳୀନ ସ୍ଥିତି(ହେଲ୍ଥ ଏମାର୍ଜେନ୍ସି) ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାୟୁର ମାନ ସିଭିଅର କ୍ୟାଟେଗୋରୀକୁ ଅତିକ୍ରମ କରିଥିବାରୁ ଦୁଇଟି ମୁଖ୍ୟ ସହରରେ ସଟ୍ଡାଉନ୍ ଘୋଷଣା କରାଯାଇଛି। ବାୟୁ ପ୍ରଦୂଷଣ ଯୋଗୁ ରାଜ୍ୟର ବିଭିନ୍ନ ସହରରେ ୨୦ ଲକ୍ଷ ଲୋକ ରୋଗଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୀର୍ଘ ସପ୍ତାହେ ହେଲା ପାକିସ୍ତାନ ପଞ୍ଜାବରେ ଏଭଳି ସ୍ଥିତି ରହିଛି।
ପ୍ରଦୁଷଣର ମୁକାବିଲା ପାଇଁ ପଞ୍ଜାବ ରାଜ୍ୟର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ୍ ହେଲ୍ଥ ଏମାର୍ଜେନ୍ସି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ରଦ୍ଦ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ରେସ୍ତୋରାଁ ଅପରାହ୍ନ ୪ଟା ପର୍ଯ୍ୟନ୍ତୁ ଖୋଲିବାକୁ ଅନୁମତି ଦିଆଯାଇଛି। ଲାହୋର ଓ ମୁଲତାଲ ସହରରେ ଲକ୍ଡାଉନ୍ ଘୋଷଣା କରିବା ସହିତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି। ଶୁକ୍ରବାର ଲାହୋରରେ ବାୟୁର ମାନ ୧୧ ମିଲିଅନ ଅତିକ୍ରମ କରିଛି। ଯାହା ସବୁଠାରୁ ଖରାପ ସ୍ଥିତିକୁ ଦର୍ଶାଉଛି।
ତାପମାତ୍ରା କମିବା ସହିତ ପବନ ବହିବା କମ ହେବାରୁ ଧୂଆଁ ଓ କାକର ମିଶି ଏକ ବିଶାକ୍ତ ବଳୟ ସୃଷ୍ଟି କରୁଛନ୍ତି। ଯାନବାହାନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ଯୋଗୁ ହେଉଥିବା ପ୍ରଦୂଷଣ ପରିବେଶ ଅଧିକ ବିଶାକ୍ତ କରୁଛି। ଆଗକୁ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିପାରେ ବୋଲି ପାକିସ୍ତାନ ପାଣିପାଗ ବିଭାଗ କହିଛି।