କ୍ୟାଟଗରୀ-୪ରେ ପରିଣତ ହେଲା ସାମୁଦ୍ରିକ ବାତ୍ୟା ‘ହେଲେନ’, ଦକ୍ଷିଣ ଆମେରିକାର ଅନେକ ଅଞ୍ଚଳରେ ଏମାର୍ଜେନ୍ସୀ

Published By : Prameya-News7 Bureau | September 27, 2024 IST

ତାମ୍ପା ୨୭।୯: ଆମେରିକାକୁ ମୁହାଁଇଥିବା ହରିକେନ ‘ହେଲେନ’ ବିପଦଜନକ ସ୍ତରକୁ ପହଞ୍ଚିଛି। ଏହି ବାତ୍ୟା ଯୋଗୁ ଦକ୍ଷିଣ-ପୂର୍ବର ଅନେକ ଆମେରିକୀୟ ଅଞ୍ଚଳରେ ଏମାର୍ଜେନ୍ସୀ ଘୋଷଣା ହୋଇଛି। ହେଲେନ ବିନାଶକାରୀ ଶ୍ରେଣୀ-୪କୁ ରୂପାନ୍ତରିତ ହୋଇଛି। ଏଣୁ ଏହା ଚଳିତବର୍ଷ ଆମେରିକାକୁ ଆସିଥିବା ସାମୁଦ୍ରିକ ବାତ୍ୟାମାନଙ୍କ ମଧ୍ୟରୁ ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହା ପୂର୍ବରୁ ନ୍ୟାସନାଲ ଓସନିକ ଆଣ୍ଡ ଆଟମସଫେରିକ ଆଡମିନେଷ୍ଟ୍ରେସନ (ଏନଓଏଏ) ମହାସାଗର ତାପମାନ କାରଣରୁ ଆଟଲାଣ୍ଟିକ ବାତ୍ୟା ହାରାହାରିଠୁ ବିପଦଜନକ ହୋଇପାରନ୍ତି ବୋଲି ସତର୍କ କରିଥିଲେ। 

ଅନୁମାନ କରାଯାଉଛି ‘ହେଲେନ’ ଗତବର୍ଷମାନଙ୍କରେ ଏହି କ୍ଷେତ୍ରକୁ ଆସିଥିବା ବାତ୍ୟା ମଧ୍ୟରେ ସବୁଠୁ ବିନାଶକାରୀ ହୋଇପାରେ। ହେଲେନକୁ ଅଧିକାଂଶ ଶକ୍ତି ମେକ୍ସିକୋ ଉପସାଗରରୁ ମିଳୁଛି, ଯାହା ଏବେ ଉପକୂଳକୁ ପହଞ୍ଚିସାରିଲାଣି। ୟୁଏସ ନ୍ୟାସନାଲ ହରିକେନ ସେଣ୍ଟର ଅନୁସାରେ ଏହି ବାତ୍ୟା ଯୋଗୁ ଘଣ୍ଟାପ୍ରତି ୨୧୫ କିଲୋମିଟର ବେଗରେ ପବନ ବୋହିପାରେ। ବାତ୍ୟା ଏବେ ତାମ୍ପାରୁ ୧୯୫ କିଲୋମିଟର ପଶ୍ଚିମରେ ରହିଛି। 

ବାତ୍ୟା ପୂର୍ବରୁ ଫ୍ଲୋରିଡାରେ ୨ଲକ୍ଷ ୫୦ ହଜାରରୁ ଅଧିକ ଘର ଓ ପ୍ରତିଷ୍ଠାନର ବିଦ୍ୟୁତ ଚାଲି ଯାଇଛି। ଏବେ ଫ୍ଲୋରିଡାର ବିଗ୍ ବେଣ୍ଡ ଅଞ୍ଚଳରେ ବାତ୍ୟା ଯୋଗୁ ବିଶେଷ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି। କୁହାଯାଉଛି ବାତ୍ୟା ସମୁଦ୍ର ଉପକୂଳକୁ ପହଞ୍ଚିବା ବେଳେ ୬ ମିଟର ଉଚ୍ଚ ଲହଡି ଉଠିପାରେ। ଏଣୁ ବାତ୍ୟା ଯୋଗୁ ବଡ଼ ଧରଣର କ୍ଷୟକ୍ଷତିକୁ ଆକଳନ କରି ଫ୍ଲୋରିଡା ଉପକୂଳରୁ ଉତ୍ତର ଜର୍ଜିଆ ଓ ପଶ୍ଚିମ କ୍ୟାରୋଲିନା ପର୍ଯ୍ୟନ୍ତ ଝଡତୋଫାନ ଓ ବନ୍ୟା ସତର୍କତା ଜାରି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.