ଭୁବନେଶ୍ୱର ୨୧।୧୨: ଶନିବାର GST ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁକ୍ରବାର ରାଜସ୍ଥାନ ଜୈସଲମରରେ ହୋଇଥିବା ପ୍ରାକ୍ ବଜେଟ ବିଚାର ବିମର୍ଶ ବୈଠକରେ ରାଜ୍ୟର ପ୍ରମୁଖ ୮ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଥିବା ଦାବି ଗୁଡ଼ିକ ମଧ୍ୟରେ ରହିଛି।
୧- ଓଡ଼ିଶାରେ ସହରୀକରଣ ପାଇଁ ଅଧିକ ଅର୍ଥ ବରାଦ କରିବା ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେହେତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସହରାଞ୍ଚଳ ବିକାଶ ପଛରେ ରହିଛି ତେଣୁ ସେ କେନ୍ଦ୍ରୀୟ ଅନୁଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି।
୨- ଓଡ଼ିଶାରେ ନୂଆ ଶିଳ୍ପ ଭିତ୍ତିକ ସହରାଞ୍ଚଳ ଗଠନ ପାଇଁ ଦାବି କରିଛନ୍ତି। ବିଶେଷ କରି ଗୋପାଳପୁର ଓ ଝାରସୁଗୁଡ଼ାରେ ଏଭଳି ଶିଳ୍ପ ଭିତ୍ତିକ ସହରର ବିକାଶ ପାଇଁ ସେ ଗୁରୁତ୍ବ ଦେଇଛନ୍ତି।
୩- ଓଡ଼ିଶାରେ କିଭଳି ଭାବେ ଅଧିକ ପୁଞ୍ଜି ବିନିଯୋଗ ହେବ , ତା ପାଇଁ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଠାରୁ ଆର୍ଥିକ ଅନୁଦାନ ଦାବି କରିଛନ୍ତି ମୋହନ। ବିଶେଷ କରି ଶିଳ୍ପ ପାର୍କ, ଇଲେକ୍ଟ୍ରିସିଟି ଗ୍ରିଡ, ରେଲୱେ ଭିତ୍ତିଭୂମି, ବନ୍ଦର, ବିମାନ ବନ୍ଦର ବିକାଶ ପାଇଁ ସେ ଦାବି ରଖିଛନ୍ତି।
୪- ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାରେ ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ପାଇଁ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ଥିବା ସେ ଦର୍ଶାଇଛନ୍ତି। ଏଥିପାଇଁ ଆଗାମି ବଜେଟରେ ବ୍ୟୟବରାଦ କରିବାକୁ ସେ ଦାବି ରଖିଛନ୍ତି।
୫- ଜଳ ଜୀବନ ମିଶନରେ ଅଧିକ କେନ୍ଦ୍ରୀୟ ଅନୁଦାନ ରଖିବାକୁ ସେ ଅନୁରୋଧ କରିଛନ୍ତି।
୬ - ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ।
୭ -ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୧୧ ବ୍ଲକକୁ ଆକାଂକ୍ଷିତ ବ୍ଲକ ଭାବେ କେନ୍ଦ୍ର ଗ୍ରହଣ କରିବାକୁ ସେ ଦାବି ରଖିଛନ୍ତି।
୮ - ସାକି ଯୋଜନାରେ ଅତିକମରେ ୬୦ ପ୍ରତିଶତ ଅନୁଦାନ ଆଗାମି ବଜେଟରେ ମଞ୍ଜୁର କରିବା ପାଇଁ ସେ ମଧ୍ୟ ଦାବି କରିଛନ୍ତି। ବିଶେଷ କରି ୨୪ ବର୍ଷ ପରେ ସରକାର ବଦଳି ବିଜେପି ଉପରେ ଭରସା କରିଛନ୍ତି ଲୋକେ। ଲୋକଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ର ସହଯୋଗ ଜରୁରୀ ବୋଲି ସେ ଦର୍ଶାଇଛନ୍ତି।