ଭୁବନେଶ୍ବର ପାଇଁ ସବୁଠାରୁ ଛୋଟ ଦିନ, ରାଜଧାନୀରେ ଦିନର ସମୟ ମାତ୍ର...

Published By : Prameya-News7 Bureau | December 21, 2024 IST

ଭୁବନେଶ୍ୱର ୨୧/୧୨: ଆଜି ଭୁବନେଶ୍ୱର ପାଇଁ ବର୍ଷକର ସବୁଠାରୁ ଛୋଟ ଦିନ ହେବ ।  ଦିନର ସମୟ  ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩  ଘଣ୍ଟା, ୫ ମିନିଟ୍‌ ୩୬ ସେକେଣ୍ଡ ହେବ । କିନ୍ତୁ ଭୁବନେଶ୍ୱରରେ ୨୭  ତାରିଖ ଯାଏ ଦିନ ୧୦ ଘଣ୍ଟା ୫୪ ମିନିଟ୍‌ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫  ମିନିଟ୍‌ ହେବ । 

୨୧ ତାରିଖରେ ଓଡିଶାର ସୁନ୍ଦରଗଡ଼ ଓ ମାଲକାନଗିରି  ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍‌ ଓ ୧୧ ଘଣ୍ଟା ୦୧  ମିନିଟ୍‌ ହେବ । ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର  ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍‌ ଓ ୧୧ ଘଣ୍ଟା ୩୯ ମିନିଟ୍‌  ହେବ ବୋଲି ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।   

ଡ. ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୫ ତାରିଖକୁ ସମସ୍ତେ "ବଡ଼ଦିନ'  ରୁପେ ପାଳନ କରନ୍ତି । ହେଲେ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର  ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏଥିସହ  ଏହା ବର୍ଷର "ସବୁଠାରୁ ଛୋଟ ଦିନ’ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ  ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ  ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ  । 

ସେହି  କ୍ରମରେ ମାର୍ଚ୍ଚ ମାସ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର  ଅବଧି ସମାନ ହୁଏ  । ଜୁନ ୨୧ ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ  ସବୁଠାରୁ ବଡ଼ ଦିନ ହୋଇ ଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ  ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ  ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.