ଦିଲ୍ଲୀରେ ଚାଞ୍ଚଲ୍ୟ, ଭଡା ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ,କ୍ୟାବ ଡ୍ରାଇଭରଙ୍କୁ ଛୁରୀ ଭୁସିଦେଲା ନାବାଳକ

Published By : Prameya-News7 Bureau | December 21, 2024 IST

ନୂଆଦିଲ୍ଲୀ ୨୧/୧୨: ଭଡା ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ । ୪ଶହ ଟଙ୍କା ଦେବାକୁ କହିଲା କ୍ୟାବ ଡ୍ରାଇଭର । ଛୁରୀ ଭୁସିଦେଲା ନାବାଳକ । ଅଭାବନୀୟ ଓ ଚକିତ କଲା ଭଳି ଘଟଣା ଆସିଛି ଉତ୍ତର ପୂର୍ବ ଦିଲ୍ଲୀ ସୋନିଆ ବିହାର ଅଞ୍ଚଳରୁ । ମାତ୍ର ୪୦୦ ଟଙ୍କା ପାଇଁ ହେଲା ପାଟିତୁଣ୍ଡ । କ୍ୟାବ ଡ୍ରାଇଭରଙ୍କୁ ଭଡା ଦେବାକୁ ରାଜି ହେଲେନି ଗ୍ରାହକ । ଝଗଡା ଏତେ ବଢିଗଲା ଯେ ୨୬ ବର୍ଷୀୟ ଡ୍ରାଇଭରଙ୍କୁ ଛୁରୀ ଭୁସି ଦେଲା ନାବାଳକ । ସାଥ ଦେଲେ ସାଙ୍ଗମାନେ ।  ଫଳରେ କ୍ୟାବ ଡ୍ରାଇଭରଙ୍କ ଜୀବନ ଯାଇଛି । 

ଡିସେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଘଟିଥିବା ପୋଲିସ କହିଛି । ମୃତ କ୍ୟାବ ଡ୍ରାଇଭରଙ୍କ ନାଁ ସନ୍ଦୀପ । ସେ ରାପିଡୋ ଟାକ୍ସି ଚଳାଉଥିଲେ । ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 

ମୃତ୍ୟୁ ପୂର୍ବରୁ ସନ୍ଦୀପ ପୋଲିସକୁ କହିଥିଲେ ନୋଏଡାରୁ ୩ ଜଣ ଯାତ୍ରୀ ଦୀପାଂଶୁ ରାହୁଲ ଓ ମୟଙ୍କଙ୍କୁ କାର୍‌ରେ ଭଡାରେ ଆଣିଥିଲେ । ସେମାନେ ସୋନିଆ ବିହାରରେ ଓହ୍ଲେଇବାର ଥିଲା । ଭଡା ବାବଦକୁ ୪ଶହ ଟଙ୍କା ହୋଇଥିଲା । ଆଉ ସେ ୩ ଜଣଙ୍କୁ ଭଡା ଟଙ୍କା ବାବଦକୁ ୪ଶହ ଟଙ୍କା ମାଗିଥିଲେ । ହେଲେ ସେମାନେ ଦେବାକୁ ରାଜି ହୋଇନଥିଲେ । 

ଟଙ୍କା ଦେବା ବଦଳରେ ମାଡ ମାରିବା ଆରମ୍ଭ କରିଥିଲେ ।ଏତିକିବେଳେ ୩ ଯାତ୍ରୀଙ୍କ ସହ ଅନ୍ୟ ଜଣେ ସାଙ୍ଗ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ ଡ୍ରାଇଭର ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆଉ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । 

 

 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.