ଗଞ୍ଜାମ ଓ କନ୍ଧମାଳ ଯିବେ ବିଜେଡି ସୁପ୍ରିମୋ, ପ୍ରଚାର ସହ ଜନସଭାରେ ଦେବେ ଉଦ୍‌ବୋଧନ

Published By : Prameya-News7 Bureau | May 09, 2024 IST

ବ୍ରହ୍ମପୁର ୦୯।୦୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଉ ତିନିଦିନ ପରେ ସରିବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ଗସ୍ତ କରି ଗୋପାଳପୁର ଓ ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜନସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ପରେ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେଡିକୁ ଅଧିକ ବଳ ମିଳିବ ବୋଲି ଆଶା କରାଯାଉଛି । 

ସେପଟେ ଗୋପାଳପୁର ଓ ଆସିକାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିରାଟ ପଟୁଆର ଆୟୋଜନ କରିଛନ୍ତି ନେତା । ଗଞ୍ଜାମ ଗସ୍ତ ପରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ଜନସଭାରେ ଯୋଗଦେଇ ଭୁବନେଶ୍ୱର ଫେରିବା କାର୍ଯ୍ୟସୂଚୀ ସ୍ଥିର ହୋଇଛି । ମେ ୧୩ରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ମତଦାନ ଧାର୍ଯ୍ୟ ହୋଇଥିବା ବେଳେ ମେ ୨୦ରେ ଆସିକା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ହୋଇଥିବା ସୂଚନା ପ୍ରକାରେ ଗୁରୁବାର ପୂର୍ବାହ୍ନ ୧୦ଟା ୧୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ଆଉ ଗୋଟିଏ ହେଲିକପ୍ଟରରେ କନିଷି ବାଲାଜୀ ବିଦ୍ୟାପୀଠ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ଣ ୧୧ଟା ୨୫ରେ ସେ ଆସିକା ଗସ୍ତ କରିବେ । ପୂର୍ବାହ୍ଣ ୧୧ଟା ୪୫ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ନିକଟ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ସେ ଆୟୋଜିତ ଜନସଭାରେ ଯୋଗ ଦେବା ପରେ ଅପରାହ୍ଣ ୧ଟା ୧୦ରେ ଫୁଲବାଣୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ । ସାଧାରଣ ସଭାରେ ଯୋଗଦେବା ପରେ ଅପରାହ୍ଣ ୧ଟା ୫୦ରେ ଭୁବନେଶ୍ୱର ଫେରବେ ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.