କଟକରେ ୫ ବକ୍ସ ଡ୍ରେନ୍ ନିର୍ମାଣ ପାଇଁ ଯୋଜନା, ଶିଶୁଭବନ ପରିସରରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ

Published By : Prameya-News7 Bureau | December 12, 2024 IST

କଟକ ୧୨।୧୨: କଟକ ସହର ଭିତରେ ଆଉ ୫ଟି ବକ୍ସ ଡ୍ରେନ ନିର୍ମାଣ କରିବା ଲାଗି ଯୋଜନା କରିଛି ସିଏମସି । ଏନେଇ ୩ ଶହ ୩୯ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇସାରିଛି ଏବଂ ସରକାରଙ୍କ ମଞ୍ଜୁରୀ ଲାଗି ପଠାଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ସିଏମସି କର୍ତ୍ତୃପକ୍ଷ । କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ତଥ୍ୟ ରଖିଛନ୍ତି ସିଏମସି ସିଟି ଇଞ୍ଜିନିୟର । 

ସେହିପରି ତାଳଦଣ୍ଡା କେନାଲକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ୩୨ କୋଟି ଟଙ୍କାର ନୂଆ ପ୍ରକଳ୍ପ କରାଯିବ ବୋଲି ସିଏମସି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ତେଣେ ବଜ୍ରକବାଟୀ ବକ୍ସଡ୍ରେନ୍‌କୁ ମାତୃ ଭବନ ପର୍ଯ୍ୟନ୍ତ ସାମ୍ପ୍ରସାରିତ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ୱାଟକୋ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । 

ତେବେ ଶିଶୁ ଭବନରେ ଲାଗି ରହିଥିବା ସମସ୍ୟାକୁ ନେଇ ହାଇକୋର୍ଟ ଖୁବ୍‌ ବିରକ୍ତି ପ୍ରକାଶ କରିଛନ୍ତି । ଶିଶୁ ଭବନ ଭିତରେ ହୋଇଥିବା ସମସ୍ତ ଜବରଦଖଲ ତୁରନ୍ତ ହଟାଇବା ଲାଗି ନିର୍ଦ୍ଦେଶ ହୋଇଛି । ଯେପରି ଆମ୍ବୁଲାନ୍ସ ଯାତାୟତରେ କୌଣସି ସମସ୍ୟା ଦେଖା ନଦେବ, ସେ ନେଇ ତ୍ୱରିତ ପଦକ୍ଷେପ ନେବା ଲାଗି ଉଭୟ ସିଡିଏ ଏବଂ ସିଏମ୍‌ସିକୁ ନିର୍ଦ୍ଦେଶ ହୋଇଛି । ଅନ୍ୟପଟେ ସତ୍ୟବ୍ରତ ଷ୍ଟାଡିୟମକୁ ବ୍ୟବହାର ଯୋଗ୍ୟ କରାଇବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉନ୍ନତି ଲାଗି ଯାହା ଆବଶ୍ୟକ ସେନେଇ ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ନିର୍ମାଣ କାର୍ଯ୍ୟ କରିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.