୧,୬୦,୦୦୦ ବର୍ଷ ପରେ ହେବାକୁ ଯାଉଛି ଅଜବ ସଂଯୋଗ, ସକାଳୁ ସକାଳୁ ପୃଥିବୀରେ ଦେଖାଯିବ ୨ଟି ସୂର୍ଯ୍ୟ! ନୋଟ୍ କରନ୍ତୁ ତାରିଖ

Published By : Prameya-News7 Bureau | January 11, 2025 IST

ନୂଆଦିଲ୍ଲୀ ୧୧।୧: ଯଦି ମହାକାଶ ଓ ବିଜ୍ଞାନ ପ୍ରତି ଆପଣଙ୍କ ଆଗ୍ରହ ଥାଏ ତେବେ ଜାନୁୟାରୀ ୧୩ ତାରିଖକୁ ନୋଟ୍ କରି ରଖନ୍ତୁ। ସେଦିନ ଏପରି କିଛି ହେବ ଯାହା ଆଜକୁ ପ୍ରାୟ ୧ଲକ୍ଷ ୬୦ ହଜାର ବର୍ଷ ପୂର୍ବେ ଶେଷ ଥର ହୋଇଥିଲା। ଜାନୁୟାରୀ ୧୩ ତାରିଖ ଭୋର ସୂର୍ଯ୍ୟୋଦୟର ଠିକ୍ ୩୫ ମିନିଟ୍ ଆଗରୁ ପୂର୍ବାକାଶରେ ଆଉ ଏକ ଉଜ୍ଜ୍ୱଳ ଜ୍ୟୋତି ଦେଖାଯିବ। ତାହା କିନ୍ତୁ ସୂର୍ଯ୍ୟଙ୍କ ଆଲୋକ ନୁହେଁ ଧୂମକେତୁ ଜି-୩ ଆଟଲାସର। ଏହି ଧୂମକେତୁ ପାଇଁ ସେଦିନ ସକାଳେ ଆମେ ଆକାଶରେ କିଛି ସମୟ ପାଇଁ ଦୁଇଟି ସୂର୍ଯ୍ୟ ଦେଖିବା। 

ବୈଜ୍ଞାନିକଙ୍କ ଦାବି ଯେ ଏହା ପୃଥିବୀରୁ ଏ ପର୍ଯ୍ୟନ୍ତ ଦେଖାଯାଇଥିବା ଧୂମକେତୁ ଠାରୁ ଅଧିକ ଚମକଦାର ହେବ। ଏହି ଧୂମକେତୁ ପୃଥିବୀର ଅତି ନିକଟ ଦେଇ ଯିବ। ଏହାକୁ ରାତି ଅନ୍ଧାରରେ ଖାଲି ଆଖିରେ ବି ଦେଖା ଯାଇ ପାରିବ। ୧୩ ଜାନୁୟାରୀ ସକାଳେ ସୂର୍ଯ୍ୟୋଦୟର ୩୫ ମିନିଟ୍ ପୂର୍ବରୁ ଆମେ ଏହାକୁ ଦେଖି ପାରିବା। କୁହାଯାଉଛି ଗତ ଦୁଇ ଦଶନ୍ଧୀରେ ଦେଖାଯାଇଥିବା ଧୂମକେତୁଙ୍କ ମଧ୍ୟରେ ଏହା ସବୁଠୁ ଅଧିକ ଚମକଦାର। ଚିଲିରେ ଆଟଲାସ୍ ସର୍ଭେ ଏହାକୁ ଜାନୁୟାରୀ ୫ ତାରିଖ ଦିନ ଠାବ କରିଥିଲା। 

ପ୍ରାରମ୍ଭରେ ଏହି ଧୂମକେତୁ ଧୂଆଁଳିଆ ଦେଖାଯାଉଥିଲା। ଏହା ସମ୍ପର୍କରେ ସୂଚନା ସଂଗ୍ରହ କଷ୍ଟକର ଥିଲା। ଏହି ଧୂମକେତୁ ତାର ଏକ ଚକ୍ର ପୁରା କରିବାକୁ ୧,୬୦,୦୦୦ ବର୍ଷ ନେଇଥାଏ। ଏହି ମହାଜାଗତିକ ଦୃଶ୍ୟ କୌଣସି ବ୍ୟକ୍ତିଙ୍କ ଜୀବନରେ ଥରଟିଏ ଦେଖିବାର ମୁହୂର୍ତ୍ତ ହୋଇପାରେ। ବୈଜ୍ଞାନିକ କହିଛନ୍ତି ଯେ ଏହି ଧୂମକେତୁର ଚମକ ଆଗରେ ଶୁକ୍ର ଓ ବୃହସ୍ପତି ଗ୍ରହର ଉଜ୍ୱଳତା ମଧ୍ୟ ନିଷ୍ପ୍ରଭ। ଜାନୁୟାରୀ ୧୩ ତାରିଖ ଦିନ ଏହି ଧୂମକେତୁ ସୂର୍ଯ୍ୟଙ୍କ ଖୁବ୍ ନିକଟରେ ଥିବ। ସେତେବେଳେ ସୂର୍ଯ୍ୟଙ୍କ ଠାରୁ ଏହାର ଦୂରତା ୮.୭ ମିଲିୟନ ମାଇଲ ଦୂରରେ ଥିବ। 

ବୈଜ୍ଞାନିକଙ୍କ ଅନୁସାରେ ଧୂମକେତୁ ଜି-୩ ଆଟଲାସ୍ ଜାନୁୟାରୀ ୨ ତାରିଖ ଦିନ ଅଧିକ ଉଜ୍ଜ୍ୱଳ ଦେଖାଯାଇଥିଲା। ଧୂମକେତୁରେ ହୋଇଥିବା ବିସ୍ଫୋରଣ ପରେ ଏହାର ଉଜ୍ଜ୍ୱଳତା ଆହୁରି ବଢି ଯାଇଥିଲା। ଏହା ପରେ ଧୂମକେତୁ ସମସ୍ତଙ୍କ ନଜରକୁ ଆସିଥିଲା। ଏହାକୁ ନେଇ ବୈଜ୍ଞାନିକଙ୍କ ଆଗ୍ରହ ମଧ୍ୟ ଏବେ ଢେର ବଢି ଯାଇଛି। ବୈଜ୍ଞାନିକ କହିଛନ୍ତି ଯେ ଜାନୁୟାରୀ ୧୩ ତାରିଖରେ ଧୂମକେତୁ ସୂର୍ଯ୍ୟୋଦୟର ୩୫ ମିନିଟ୍ ପୂର୍ବରୁ ଉଇଁବ। ଏହାର ଲୋକେସନ ଠିକ ସୂର୍ଯ୍ୟଙ୍କ ଉପରେ ରହିବ। ଏଣୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ଏହି ଧୂମକେତୁର ଏକ ଝଲକ ପାଇବାକୁ ନିଶ୍ଚିତ ଦୂରବିକ୍ଷଣର ବ୍ୟବହାର କରନ୍ତୁ। ତେବେ ସେତେବେଳେ ସୂର୍ଯ୍ୟ ଏହାର ଖୁବ ନିକଟରେ ଥିବାରୁ ଲୋକଙ୍କୁ ଏହାକୁ ଦେଖିବାରେ ଅସୁବିଧା ବି ହୋଇପାରେ। ସୂର୍ଯ୍ୟଙ୍କ ଉଜ୍ୱଳତା ବୃଦ୍ଧି ପାଇବା ସହ ଧୂମକେତୁ ଦେଖାଯିବା ବନ୍ଦ ହୋଇଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.