ଭୁବନେଶ୍ୱର: ଦୀର୍ଘ ଦିନ ଯାଏ ମୁରବୀ ଶୂନ୍ୟ ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, 'କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।'
ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟର ପିସିସି ଭଙ୍ଗ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ଅନ୍ୟ ସମସ୍ତ ସାଂଗଠନିକ ପଦପଦବୀକୁ ଭଙ୍ଗ କରିଥିଲା ଏଆଇସିସି । ତାପର ଠାରୁ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହିକ୍ରମରେ ରାଜ୍ୟରେ ଅନେକ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ କରିସାରିଥିଲେ ମଧ୍ୟ ଘୋଷଣା ବିଳମ୍ୱ ହୋଇଚାଲିଥିଲା ।
ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ନେତା । ସେ ଓଡ଼ିଶା ବିଧାନସଭାକୁ ଥରେ ଏବଂ ଲୋକଭାସକୁ ତିନି ଥର ନିର୍ବାଚିତ ହୋଇସାରିଛନ୍ତି । ୧୯୮୫ ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୮୯, ୧୯୯୬ ଓ ୨୦୦୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର,ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଭକ୍ତ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।