ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଗଢିଲା ‘EAGLE’ ଗ୍ରୁପ, ଭୋଟିଂ ସମ୍ପର୍କିତ ଗଡବଡିର କରିବ ଯାଞ୍ଚ

Published By : Prameya-News7 Bureau | February 02, 2025 IST

ନୂଆଦିଲ୍ଲୀ ୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ‘ଇଗଲ’ ଗ୍ରୁପ ଗଢ଼ିଛି। କଂଗ୍ରେସ ଏହି ଗ୍ରୁପରେ ଅଜୟ ମାକନ, ଦିଗବିଜୟ ସିଂହ, ଅଭିଷେକ ମନୁ ସିଂଘଭୀ ଓ ପବନ ଖେଡାଙ୍କ ସମେତ ୮ ନେତା ଓ ବିଶେଷଜ୍ଞଙ୍କୁ ସ୍ଥାନ ଦେଇଛି। ପାର୍ଟିର ଏହି ଗ୍ରୁପ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ହୋଇଥିବା ନିର୍ବାଚନୀ ଗଡ଼ବଡ଼ିର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ ଓ କଂଗ୍ରେସ ହାଇକମାଣ୍ଡଙ୍କୁ ପ୍ରଦାନ କରିବ। 

ଏ ନେଇ ପାର୍ଟି ପକ୍ଷରୁ ଜାରି ପତ୍ରରେ କୁହାଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ସଞ୍ଚାଳନ ଉପରେ ନଜର ରଖିବାକୁ ତତ୍କାଳ ପ୍ରଭାବରେ ନେତା ଓ ବିଶେଷଜ୍ଞଙ୍କ ଏକ ଅଧିକାର ପ୍ରପ୍ତ କାର୍ଯ୍ୟ ସମୂହ (EAGLE)ର ଗଠନ କରିଛି। ଏହି କମିଟି ସର୍ବ ପ୍ରଥମେ ମହାରାଷ୍ଟ୍ର ଭୋଟର ସୂଚୀରେ ହେରଫେର ମାମଲା ପ୍ରସଙ୍ଗ ଉଠାଇବ ଯଥା ସମ୍ଭବ ଶୀଘ୍ର ହାଇକମାଣ୍ଡଙ୍କୁ  ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ। 

ଏହା ଛଡା ଇଗଲ ଗତ ଦିନରେ ଅନ୍ୟ ରାଜ୍ୟମାନଙ୍କରେ ହୋଇଥିବା ନିର୍ବାଚନର ମଧ୍ୟ ବିଶ୍ଲେଷଣ କରିବ ଓ ଆଗାମୀ ନିର୍ବାଚନ ମାନଙ୍କରେ ଦେଶରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ସଞ୍ଚାଳନ ସମ୍ପର୍କିତ ଅନ୍ୟ ସବୁ ପ୍ରସଙ୍ଗରେ ସକ୍ରିୟ ରୂପେ ଦେଖରେଖ କରିବ ଓ ରିପୋର୍ଟ ପ୍ରସ୍ତୁତ କରି ହାଇକମାଣ୍ଡଙ୍କୁ ପଠାଇବ। କଂଗ୍ରେସ ପାର୍ଟି ମହାରାଷ୍ଟ୍ର ଭୋଟର ଲିଷ୍ଟରେ ତ୍ରୁଟି ଥିବାର ଅଭିଯୋଗ କରିଥିଲା। ଏହାକୁ ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ ମଧ୍ୟ କରାଯାଇଥିଲା। ନିର୍ବାଚନ ଆୟୋଗ ମଧ୍ୟ ଏହାର ଜବାବ ଦେଇଥିଲେ। 

ଏହା ପୂର୍ବରୁ କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ ଗଡ଼ବଡ଼ ଅଭିଯୋଗ ଆଣିବା ସହ ଇଭିଏମ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା। ତେବେ ନିର୍ବାଚନ ଆୟୋଗ ଗୋଟିଏ ଗୋଟିଏ କରି ସବୁ ଅଭିଯୋଗର ଉତ୍ତର ଦେଇଥିଲେ। ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୫ ତାରିଖ ଦିନ ଭୋଟଗଣନା ହେବାକୁ ଥିବା ବେଳେ ୮ ଫେବୃଆରୀରେ ଭୋଟ ଗଣନା ହେବ। ଏଥିରେ କଂଗ୍ରେସର ଇଗଲ ଉଲ୍ଲେଖନୀୟ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.