ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ସୋମବାର, ଜାଣନ୍ତୁ କେବେ କହିବେ PM ଓ କେବେ ରାହୁଲଙ୍କ ପାଳି

Published By : Prameya-News7 Bureau | February 02, 2025 IST

ନୂଆଦିଲ୍ଲୀ ୨।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ସଂସଦରେ ସୋମବାର ଆରମ୍ଭ ହେବ। ଉଭୟ ଲୋକସଭା ଓ ରାଜ୍ୟସଭାରେ ହେବାକୁ ଥିବା ଚର୍ଚ୍ଚାକୁ ବିଜେପି ସାଂସଦ ରାମବୀର ସିଂହ ବିଧୁଡି ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ଓ ବୁଧବାର ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖିବେ। ଏଥିରେ କଂଗ୍ରେସ ଏବେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ନିମନ୍ତେ ନିଜ ବକ୍ତାମାନଙ୍କ ସୂଚୀ ଜାରି କରିଛି। 

ଏଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରୟାଗରାଜରୁ ସାଂସଦ ଉଜ୍ଜ୍ୱଳ ରମଣ ସିଂହ, ମଣିପୁରରୁ ସାଂସଦ ଅଙ୍ଗୋମଚା ବିମୋଲ ଅକୋଇଜମ ଓ ଜଳନ୍ଧରରୁ ସାଂସଦ ଚରଣଜୀତ ସିଂହ ଚନ୍ନୀଙ୍କ ନାମ ରହିଛି। ରାହୁଲ ଗାନ୍ଧି ଧନ୍ୟବାଦ ପ୍ରସ୍ତାବ ଉପରେ ସଂସଦରେ ସୋମବାର ନିଜର ବକ୍ତବ୍ୟ ରଖିବେ। ବିରୋଧୀ ଦଳ ନେତା ଫେବୃଆରୀ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ସଦନରେ ବିତର୍କ ଆରମ୍ଭ କରିବେ। ତେବେ ବଜେଟ ପାଇଁ ଅଲଗା ବିତର୍କ ହେବ। 

ଏଥିରେ ରାହୁଲ ଗାନ୍ଧି ଯାହା ତାଙ୍କୁ ଉଚିତ ଲାଗିବ କୌଣସି ବିଷୟ ଉପରେ ନିଜର ବିଚାର ବ୍ୟକ୍ତ  କରିପାରିବେ। ଏଥିରେ ସେ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କରିବାକୁ ପୁରା ଉଦ୍ୟମ କରିବେ। ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ପାଇଁ ଦକ୍ଷିଣ ଦିଲ୍ଲୀରୁ ସାଂସଦ ରାମବୀର ସିଂହ ବିଧୁଡୀଙ୍କୁ ବିଜେପି ମନୋନୀତ କରିଥିବା ବେଳେ ସଂସଦରେ ତାଙ୍କୁ ବିହାର ପାଟନା ସାହିବ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କ ପ୍ରସାଦ ସମର୍ଥନ କରିବେ। ସେହିପରି ରାଜ୍ୟସଭାରେ ବିଜେପି ସାଂସଦ କିରଣ ଚୌଧୁରୀ ପ୍ରସ୍ତାବ ଉପସ୍ଥାପନ କରିବାକୁ ଥିବା ବେଳେ ନିରଜ ଶେଖର ପ୍ରସ୍ତାବକୁ ସମର୍ଥନ କରିବେ। 

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାର ଏଥର ଖୁବ୍ ଗୁରୁତ୍ୱ ରହିଛି। କାରଣ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଚଳିତବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ସଂସଦରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାକୁ ଦୃଢ ବିରୋଧ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.