ପ୍ରୟାଗରାଜ ୨।୨: ପ୍ରୟାଗରାଜ ଏୟାରପୋର୍ଟକୁ ପ୍ରଥମ ଥର ଦିନକରେ ୧୦ ହଜାର ଯାତ୍ରୀ ଆସିଛନ୍ତି। କେବଳ ଏତିକି ନୁହେଁ ଗୋଟିଏ ଦିନରେ ୮୭ଟି ବିମାନ ଯାତାୟାତ କରିଥିବାର ମଧ୍ୟ ନୂଆ ରେକର୍ଡ ହୋଇଛି। ମହାକୁମ୍ଭରେ ପ୍ରୟାଗରାଜ ବିମାନ ବନ୍ଦର ନୀତି ନୂଆ ରେକର୍ଡ ସୃଷ୍ଟି କରୁଛି। ଯାହାକୁ ନେଇ କର୍ମଚାରୀ ଓ ପ୍ରୟାଗରାଜ ମଧ୍ୟ ବେଶ୍ ଉତ୍ସାହିତ। ଏହା ପୂର୍ବରୁ ଜାନୁୟାରୀ ୨୮ ତାରିଖ ଦିନ ଏୟାରପୋର୍ଟକୁ ୬୮ଟି ବିମାନ ଆସିଥିଲା। ରବିବାର ଏହି ରେକର୍ଡ ଭଙ୍ଗ ହୋଇଛି।
ଏବେ ଗୋଟିଏ ଦିନରେ ସର୍ବାଧିକ ବିମାନ ସଞ୍ଚାଳନ ଓ ସର୍ବାଧିକ ଯାତ୍ରୀ ଆଗମନର ରେକର୍ଡ ସୃଷ୍ଟି ହୋଇଛି। ଏହା ପୂର୍ବଦିନ ଅର୍ଥାତ ଫେବୃଆରୀ ୧ ତାରିଖ ଦିନ ଏୟାରପୋର୍ଟକୁ ୩୨ଟି ବିମାନ ଆସିଥିବା ଓ ଫେରିଥିବାର ରେକର୍ଡ ରହିଛି। ଏହିସବୁ ବିମାନ ସମୟସାରଣୀ ଅନୁସାରେ ଯାତାୟାତ କରିଥିଲେ ତେବେ ବିନା ସ୍ୟୁଡଲରେ ଏୟାରପୋର୍ଟକୁ ୧୧ଟି ବିମାନ ଆସିବା ସହ ସୁରୁଖୁରୁରେ ଫେରି ଯାଇଛନ୍ତି। ଏହି ବିମାନଗୁଡିକ ୫,୩୯୯ ଯାତ୍ରୀଙ୍କୁ ଆଣିଥିଲେ ଓ ଫେରସ୍ତ ରାସ୍ତାରେ ୫,୨୦୦ ଯାତ୍ରୀଙ୍କୁ ନେଇ ଫେରିଛନ୍ତି।
ଗୋଟିଏ ଦିନରେ ବିମାନ ସଞ୍ଚାଳନରେ ଇଣ୍ଡିଗୋ, ଏଲାଏନ୍ସ ଏୟାର, ଅକାସା ଏୟାର, ସ୍ପାଇସ ଜେଟ୍, ଏୟାର ଇଣ୍ଡିଆର ବିମାନ ଏୟାରପୋର୍ଟକୁ ଆସିଥିଲେ। ଏହାଛଡା ଅନ୍ୟ ବିମାନ ଓ ଚାର୍ଟର ମଧ୍ୟ ପ୍ରୟାଗରାଜ ଆସିଥିଲେ। ପ୍ରାଇଭେଟ ପ୍ଲେନରେ ୬୬ ଜଣ ଯାତ୍ରୀ ପ୍ରୟାଗରାଜ ଆସିଥିଲେ ଓ ଏଠାରୁ ୮୭ ଜଣ ଯାତ୍ରୀଙ୍କୁ ନେଇ ଫେରିଥିଲେ। ୨୦୧୯ରୁ ଆରମ୍ଭ ହୋଇଥିବା ଏହି ବେ ସାମରିକ ବିମାନ ବନ୍ଦରକୁ ଦିନକରେ କେବେ ଏତେ ବିମାନ କି ଯାତ୍ରୀ ଆସି ନଥିଲେ।
ଏୟାରପୋର୍ଟର ନୂଆ ଟର୍ମିନାଲରୁ ବିମାନ ସଞ୍ଚାଳନ ଆରମ୍ଭ ହୋଇଥିବାରୁ ଏବେ ବିମାନ ଯାତାୟାତ ସହଜ ହୋଇଛି। ଏହି ବିମାନ ବନ୍ଦର ନିର୍ମାଣରେ ୨୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଗୋଟିଏ ସମୟରେ ଏହି ବିମାନ ବନ୍ଦରରୁ ୧୨ଶହ ଯାତ୍ରୀ ଯିବା ଆସିବା କରିପାରିବେ।