ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୧୫ ସୁଦ୍ଧା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୁଧବାର ଅର୍ଥାତ୍ ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।
ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହା ସହ ସେ ଆହୁରି କହିଛନ୍ତି, ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଖାଲି ସେତିକି ନୁହେଁ ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁ ଯେପରି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସିବା ଅସୁବିଧା ନହେବ ସେଥିପାଇଁ ମୂଲ୍ୟାଙ୍କନ କେନ୍ଦ୍ର ବଢ଼ାଯାଇଛି ।
ସେ ଆହୁରି କହିଛନ୍ତି ଯଦି କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ କେହି ଛାତ୍ର ମାଲପ୍ରାକ୍ଟିସରେ ବୁକ ହୋଇଥିବେ ତେବେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ। କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏହି ଛାତ୍ରୀଛାତ୍ର ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ସୂଚନାଥାଉକି ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି।