ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା', ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା, ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା । 

ବାତ୍ୟା କେଉଁଠି ମାଡ଼ ହେବ ସେନେଇ ଭା‌ରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ 'ଦାନା' ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ଜାରି ରହିବ । 

'ଦାନା' ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ । ଭୀଷଣ ରୂପରେ ଆସୁଥିବା 'ଦାନା' ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ । ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇ ଦିନ ଅତିପ୍ରବଳ ବର୍ଷା ହେବ । ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ପଡ଼ିବ । 

ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ । ଜଗତସିଂହପୁର ଜିଲ୍ଲାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.