ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଦୁନିଆଁର ସବୁଠୁ ବଡ଼ ନା ଦାଉଦ୍ ଇବ୍ରାହିମ। ଯାହା ନାଁ ଶୁଣିଲେ ଭୟରେ ଥରୁଥିଲା ଦୁନିଆଁ। ଡନ୍କୁ ଧରିବାକୁ ଲାଗିଥିଲେ ବିଭିନ୍ନ ଦେଶର ପୁଲିସ୍। ହେଲେ ଘୃଣା ଓ ଅପରାଧ ଦୁନିଆର ବେତାଜ୍ ବାଦଶାହ କିନ୍ତୁ ବନ୍ଦୀ ହୋଇଯାଇଥିଲା ସବୁଜ ଆଖିର ଝିଅ ପ୍ରେମରେ।
କିଏ ଏହି ନୀଳ ନୟନା, ଯାହା ପ୍ରେମରେ ଦିୱାନା ଥିଲା ଡନ୍ ?
୯୦ ଦଶକରେ ଭାରତ ସମେତ ପୂରା ଅଣ୍ଡରୱାର୍ଲ୍ଡ ଦୁନିଆଁରେ ଆତଙ୍କର ନାଁ ଥିଲା ଦାଉଦ୍ ଇବ୍ରାହିମ୍। ନାଁ ଶୁଣିଲେ ଭୟର ଥରୁଥିଲେ ଲୋକେ। ଯାହାକୁ ଧରିବାକୁ ବିଶ୍ୱର ବଡ଼ ବଡ଼ ଦେଶର ପୁଲିସ ଲାଗିପଡ଼ିଥିଲେ। ହେଲେ ଏହି ଘୃଣା ଓ ଅପରାଧର ଦୁନିଆରୁ ଦୂରରେ ଦାଉଦର ଆଉ ଏକ ସୁନ୍ଦର ଦୁନିଆଁ ଥିଲା। ଯେଉଁଠି ଥିଲା ଜଣେ ଦିୱାନା ଆଉ ଜଣେ ଦିୱାନୀ।
ନିଷ୍ଠୁର ଅପରାଧ ଦୁନିଆର ବେତାଜ୍ ବାଦଶାହ ଦାଉଦ୍ ଯେ ଦିନେ କାହା ପ୍ରେମରେ ଏମିତି ଦିୱାନା ହେବ ଏକଥା ସମସ୍ତଙ୍କୁ ତାଜୁବ କରିଥିଲା। ୧୯୯୪ ସମିହାରେ ହଠାତ୍ ଏକ ଫଟୋ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଫଟୋକୁ ନେଇ ଅଣ୍ଡରୱାର୍ଲ୍ଡଠୁ ବଲିଉଡ, ରାଜନୈତିକ ଦୁନିଆଁ ଠାରୁ ପୁଲିସ ସମସ୍ତଙ୍କ ମୁହଁରେ ଚର୍ଚ୍ଚା। ଫଟୋରେ ଥିଲା ଅଣ୍ଡରୱାର୍ଡ ଦୁନିଆର କିଂ ଦାଉଦ୍ ଇବ୍ରାହିମ୍ ଓ ବଲିଉଡ୍ର ନୀଳ ନୟନା ମନ୍ଦାକିନୀ। ନୀଳ ଆଖିର ଏହି ସୁନ୍ଦରୀ ଡନ୍ ହୃଦୟରେ ଏମିତି ଛାପ ଛାଡ଼ିଥିଲେ ଯେ ଯାହାର ଚର୍ଚ୍ଚା ଆଜି ବି ହୁଏ।
୯୦ ଦଶକରେ ବଲିଉଡ୍ରେ ମନ୍ଦାକିନୀ ଏକ ଚର୍ଚ୍ଚିତ ନାୟିକା। ଜବରଦସ୍ତ ଆକ୍ଟିଂ ସାଙ୍ଗକୁ ସୁନ୍ଦରତାରେ ଦିୱାନା ଥିଲେ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହିରୋ। ହେଲେ ହିରୋଇନ କିନ୍ତୁ ଡନ୍ ପ୍ରେମରେ ଦିୱାନୀ। ମନ୍ଦାକିନୀ ଓ ଦାଉଦ୍ର ପ୍ରେମକୁ ନେଇ ପୂର୍ବରୁ ବି-ଟାଉନ୍ରେ ଚର୍ଚ୍ଚା ଥିଲେ ବି ଉଭୟଙ୍କ ଫଟୋ ଭାଇରାଲ୍ ପରେ ଡନ୍ର ପ୍ରେମ କାହାଣୀ ଜାଣିଥିଲା ଦୁନିଆଁ। ସାତ ସମୁଦ୍ର ପାର୍ ହୋଇ ଦୁବାଇର ଏକ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖୁଥିଲେ ମନ୍ଦାକିନୀ ଓ ଦାଉଦ୍। ଫଟୋ ଭାଇରାଲ୍ ହେବା ପରେ ପୁଲିସ ସ୍କାନରେ ଆସିଲେ ମନ୍ଦାକିନୀ।
କାରଣ ୧୯୯୩ ମସିହାରେ ବୋମା ବିସ୍ଫୋରଣ ପରେ ଦୁବାଇ ଚାଲିଆସିଥିଲା ଦାଉଦ୍ । ଆଉ ଡନ୍କୁ ଧରିବାକୁ ପଛରେ ପଡ଼ିଯାଇଥିଲା ପୁଲିସ। ଦାଉଦ ବିଷୟରେ ଜାଣିବାକୁ ଅନେକ ଥର ମନ୍ଦାକିନୀକୁ ପଚାରଉଚାର କରିଥିଲା ପୁଲିସ୍। ଯଦିଓ ପରେ ମନ୍ଦାକିନୀଙ୍କୁ ପୁଲିସ୍ ଠାରୁ କ୍ଲିନ୍ଚିଟ୍ ମିଳିଥିଲା ହେଲେ ବି-ଟାଉନ୍ରେ ବଦନାମ ହୋଇଯାଇଥିଲେ ନୀଳ ନୟନା। ଭୟରେ ମନ୍ଦାକିନୀଙ୍କ ସହ ମିଶିବା ବନ୍ଦ କରିଦେଲେ ବଡ଼ ବଡ଼ ବଲିଉଡ୍ ଷ୍ଟାର୍।
ଦାଉଦ ଭୟରେ ନିର୍ଦ୍ଦେଶକ ଓ ପ୍ରଯୋଜକ ମନ୍ଦାକିନୀଙ୍କୁ ଫିଲ୍ମରେ କାମ ଦେବାକୁ ଡରିଲେ। ଫଳରେ ଧୀର ଧୀରେ ଝିଲ୍ମିଲ ଦୁନିଆଁରୁ ସବୁଦିନ ପାଇଁ ଦୂରେଇ ଗଲେ ମନ୍ଦାକିନୀ। ଦାଉଦ୍ ଠାରୁ ବି ମନ୍ଦାକିନୀଙ୍କ ଦୂରତା ବଢ଼ିଯାଇଥିଲା। ମନ୍ଦାକିନୀ ଦାଉଦ୍ ଠାରୁ ସିନା ଦୂରେଇ ଗଲେ ହେଲେ ଦାଉଦ୍ର ନାଁ ସବୁବେଳେ ତାଙ୍କ ନାଁ ସହ ଯୋଡ଼ି ହୋଇ ରହିଗଲା। ସେ ଯେତେବେଳେ ମିଡିଆ ସାମ୍ନାକୁ ଆସିଛନ୍ତି ସେତେବେଳେ କେହି ନା କେହି ତାଙ୍କ ଦାଉଦ୍ର କଥା ନିଶ୍ଚୟ ପଚାରିଛି। ଦାଉଦ୍ ଜୀବନରେ ମନ୍ଦାକିନ କମ୍ ସମୟ ପାଇଁ ରହିଲେ ବି ଡନ୍ର ହୃଦୟରେ ସବୁଦିନ ପାଇଁ ରହିଗଲା ତାଙ୍କର ସ୍ମୃତି।
ତେବେ ମନ୍ଦାକିନୀଙ୍କ ପୂର୍ବରୁ ସୁଜାତାଙ୍କ ପ୍ରମରେ ପଡ଼ିଥିଲା ଦାଉଦ୍। ହେଲେ ସୁଜାତାଙ୍କ ପରିବାର ଏକଥା ଜାଣିବା ପରେ ତାଙ୍କ ନିର୍ବନ୍ଧ ଆଉ ଏକ ଜାଗାରେ ହୋଇଗଲା। ରାଗରେ ଦାଉଦ୍ ସୁଜାତାଙ୍କ ପରିବାରକୁ ଧମକ ଚମକ୍ ବି ଦେଇଥିଲା। କିନ୍ତୁ ସୁଜାତା ପରିବାର ସହ ଯାଇ ଅନ୍ୟତ୍ର ବାହା ହୋଇଯିବାରୁ ଶେଷରେ ସବୁଦିନ ପାଇଁ ସୁଜାତା ଠାରୁ ଦୂରେଇ ଗଲା ଦାଉଦ୍ ଇବ୍ରାହିମ୍।
ବ୍ୟୁରୋ ରିପୋର୍ଟ ପ୍ରମେୟ ନ୍ୟୁଜ୍ ୭ ଡଟ୍ କମ୍।