ଦିଲ୍ଲୀ CMOର ଅଭିଯୋଗ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନରୁ ଜୋର ଜବରଦସ୍ତ ହଟାଗଲା, ଜାଣନ୍ତୁ କ’ଣ କହିଲା BJP?

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୯।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆସବାବପତ୍ରକୁ ତାଙ୍କ ସରକାରୀ ବାସଭବନ  ସିଭିଲ ଲାଇନ ୬,ଫ୍ଲାଗଷ୍ଟଫ ରୋଡରୁ ବାହାରେ ଫିଙ୍ଗି ଦିଆଯାଇଛି। ସିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ  ବୁଧବାର ଏହି ଅଭିଯୋଗ କରାଯାଇଛି। ବିଜେପି ପକ୍ଷରୁ ବଳପୂର୍ବକ ଏପରି କରାଯାଇଥିବା ସିଏମଓ ଅଭିଯୋଗ କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଅଧିକାରୀକ ବୟାନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଏହି ବିଲ୍ଡିଂଟିକୁ ବିଜେପିର ଜଣେ ନେତାଙ୍କୁ ଆବଣ୍ଟିତ କରିବାକୁ ଚାହୁଁଥିବାରୁ ଏପରି କରାଯାଇଥିବା  ଅଭିଯୋଗ କରାଯାଇଛି। 

୬,ଫ୍ଲାଗଷ୍ଟଫ ରୋଡ ବାହାରୁ ଦେଖାଯାଇଥିବା ଦୃଶ୍ୟରେ ସରକାରୀ ବାସଭବନରୁ ଡାବଡୁବି ଓ ସାମାନ ବାହାରକୁ ବାହାର କରାଯାଉଥିବା ଏବଂ ପିଡବ୍ଲୁଡିର ଏକ ଟିମ୍‌ ସେଠାରେ ପହଞ୍ଚୁଥିବା ଦେଖାଯାଇଛି। ତେବେ ବରିଷ୍ଠ ଆମଆଦମୀ ପାର୍ଟି ନେତା ସଞ୍ଜୟ ସିଂହ କହିଛନ୍ତି ଯେ ବିଜେପି ୨୭ ବର୍ଷ ହେଲା ଦିଲ୍ଲୀ କ୍ଷମତାରୁ ଦୂରରେ, ଫଳରେ ଜନତାଙ୍କଠୁ ନିର୍ବାଚନୀ ସମର୍ଥନ ହାସଲ କରିବାରେ ଅସମର୍ଥତା ଯୋଗୁ ଏବେ ମୁଖ୍ୟମନ୍ତ୍ରୀ ଆବାସକୁ  ନିଜର କରିବାକୁ ଜୋର ଲଗାଉଛି। 

ଏହା ପୂର୍ବରୁ ସିଂହ ଏହି ଅଭିଯୋଗ କରିଥିଲେ ଯେ ଅଧିକାରୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବଙ୍ଗଳା ଆବଣ୍ଟିତ କରୁ ନାହାନ୍ତି। ସେପଟେ ତାଙ୍କ କ୍ୟାମ୍ପ କାର୍ଯ୍ୟାଳୟକୁ ବି ଖାଲି କରିଦିଆଯାଇଛି। ଆମଆଦମୀ ପାର୍ଟି ଏହି ଅଭିଯୋଗ ମଧ୍ୟ କରିଛି ଯେ ବଙ୍ଗଳାକୁ କୌଣସି ବରିଷ୍ଠ ବିଜେପି ନେତାଙ୍କୁ ଦେବା ପାଇଁ ଯୋଜନା କରାଯାଉଛି। ଅରବିନ୍ଦ କେଜରିୱାଲ ଘର ଖାଲି କରିବା ପରେ ଆତିଶୀ ଚଳିତ ସପ୍ତାହ ଆରମ୍ଭରେ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସ ସ୍ଥିତ ଫ୍ଲାଗଷ୍ଟାଫ ରୋଡ ନମ୍ବର ୬କୁ ସିଫ୍ଟ ହୋଇଥିଲେ। 


ତେବେ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ଶେଷରେ ଘରକୁ ସିଲ କରିଦିଆଯାଇଛି। ସେ କହିଛନ୍ତି ଯେ ଏହି ବଙ୍ଗଳାରେ କିଛି ରହସ୍ୟ ନିଶ୍ଚିତ ରହିଛି, ଯାହା ହେଉ ଅରବିନ୍ଦ କେଜରିୱାଲଙ୍କ କାଚଘର ସିଲ ହେଲା। ସଚଦେବ କହିଛନ୍ତି ଯେ  କେଜରିୱାଲ ଘର ଛାଡିବା ପରେ ସମ୍ବଦ୍ଧିତ ବିଭାଗକୁ ଚାବି ନ ଦେଇ ସେହି ଘରେ ଆତିଶୀଙ୍କୁ ରଖିବାର ବନ୍ଦୋବସ୍ତ କରୁଥିଲେ। ଏଣୁ ଘରେ କିଛି ନା କିଛି ରହସ୍ୟ ନିଶ୍ଚିତ ରହିଛି। 


ସଚଦେବ କହିଛନ୍ତି ଯେ ଆତିଶୀ ଦୁଇଟି ଛୋଟ ଟ୍ରକରେ ଜିନିଷ ନେଇ ଘର ଦଖଲ କରିବାର ଭଲ ଡ୍ରାମା କରିଛନ୍ତି। ସମସ୍ତେ ଜାଣନ୍ତି ବଙ୍ଗଳା ଏବେବି ଆପଣଙ୍କ ଦଖଲରେ ରହିଛି, ହେଲେ ଯେମିତି ଢଙ୍ଗରେ ଆତିଶୀଙ୍କୁ ଦେବାକୁ ଉଦ୍ୟମ କରାଯାଇଛି ତାହା ବାସ୍ତବିକ ଅସାମ୍ବିଧାନିକ। ଆତିଶୀଙ୍କ ନାମରେ ପୂର୍ବରୁ ବଙ୍ଗଳା ଆବଣ୍ଟିତ ରହିଛି, ଏଥିରେ ସେ ଆପଣଙ୍କ ବଙ୍ଗଳା କିପରି ନେବେ? ଏଣୁ ଏହି ବଙ୍ଗଳାରେ କିଛି ରହସ୍ୟ ନିଶ୍ଚିତ ଅଛି। ଆମ ଆଦମୀ ପାର୍ଟି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଗତ ଶୁକ୍ରବାର ବଙ୍ଗଳାକୁ ଅଧିକାରୀକ ଭାବେ ଖାଲି କରିଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.