ବ୍ରିଜ୍‌ଭୂଷଣଙ୍କୁ ବଡ଼ ଆଶ୍ବସ୍ତି, ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ମିଳିଲା ଜାମିନ୍‌

Published By : Prameya-News7 Bureau | July 20, 2023 IST

ନୂଆଦିଲ୍ଲୀ, ୨୦/୦୭: କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ଆଶ୍ବସ୍ତି। ମହିଳା କୁସ୍ତିଯୋଦ୍ଧଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ମିଳିଛି ଜାମିନ୍‌। ଗୁରୁବାର ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ବ୍ରିଜ୍‌ଭୂଷଣଙ୍କୁ ଜାମିନ୍‌ ଦେଇଛନ୍ତି। ବ୍ରିଜ୍‌ଭୂଷଣଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ କୁସ୍ତି ମହାସଂଘର ପୂର୍ବତନ ପଦାଧିକାରୀ ବିନୋଦ ତୋମରଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ସେ ମଧ୍ୟ ସମୁଦାୟ ୬ ମାମଲାରୁ ୨ରେ ସହଯୋଗୀ ଥିଲେ।

ଏହି ସର୍ତ୍ତ ଆଧାରରେ ମିଳିଲା ଜାମିନ୍‌:

ଦିଲ୍ଲୀ କୋର୍ଟ ବ୍ରିଜ୍‌ଭୂଷଣ ଏବଂ ବିନୋଦଙ୍କୁ ୨୫ ଟଙ୍କାର ମୁଚାଲିକାରେ ଜାମିନ୍‌ ପ୍ରଦାନ କରିଛନ୍ତି। ଏହା ସହ କୋର୍ଟ ବ୍ରିଜ୍‌ ଭୂଷଣଙ୍କୁ ଅନୁମତି ବିନା ବିଦେଶ ଯାତ୍ରା କରିପାରିବେନାହିଁ ସର୍ତ୍ତ ରଖିଛନ୍ତି। ଆହୁରି ମଧ୍ୟ ତାଙ୍କ ନାଁରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ଏବ ପରୋକ୍ଷ ଭାବରେ ଧମକାଇପାରିବେନି ବୋଲି ସର୍ତ୍ତ ରଖାଯାଇଛି।

ଆହୁରି ପଢ଼ନ୍ତୁ: ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ଭୟରେ ବଦଳାଇଲେ ବୟାନ : ସାକ୍ଷୀ ମଲ୍ଲିକ

ଏହା ପୂର୍ବରୁ ସକାଳେ କୋର୍ଟ ମାମଲାରେ ଶୁଣାଣି କରିଥିଲେ ଏବଂ ଜାମିନ୍‌ ଉପରେ ନିଷ୍ପତ୍ତି ସରଂକ୍ଷିତ କରିଥିଲେ। ପରେ ଅଦାଲତ ଅପରାହ୍ନ ୪ଟାରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ବ୍ରିଜ୍‌ଭୂଷଣଙ୍କୁ ମାମଲାରେ ନିୟମିତ ଜାମିନ୍‌ ଦିଆଯିବା ଉପରେ ନିଷ୍ପତ୍ତି ଶୁଣାଇଥିଲେ। ବ୍ରିଜ୍‌ଭୂଷଣଙ୍କ ଜାମିନ୍‌କୁ ନେଇ ଦିଲ୍ଲୀ ପୋଲିସ୍‌ କହିଛି ଯେ, ‘ଆମେ ଏହାକୁ ବିରୋଧ କରୁନାହୁଁ କିମ୍ବା ଏହାର ପକ୍ଷରେ ନାହୁଁ।‘

ଅଦାଲତ ଜୁଲାଇ ୧୮ରେ ବ୍ରିଜ୍‌ଭୂଷଣଙ୍କୁ ଅନ୍ତରୀଣ ଜାମିନ୍‌ ଦେଇଥିଲେ। ଏବେ ତାଙ୍କୁ ବଡ଼ ଆଶ୍ବସ୍ତି ମଳିଛି ଏବଂ ​ସେ ଯୌନ ଉତ୍ପୀଡ଼ନ ମାମଲା​‌ରେ ନିୟମିତ ଜାମିନ୍‌ରେ ବାହାରେ ରହିପାରିବେ। ବ୍ରିଜ୍‌ଭୂଷଣଙ୍କ ଓକିଲ କହିଛନ୍ତି ‘’ଯଦି ଚାର୍ଜସିଟ୍‌ ଦାଖଲ ପର୍ଯ୍ୟନ୍ତ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାର ଆବଶକ୍ୟତା ପଡ଼ିନଥିଲା ତା’ହେଲେ ଏବେ କାହିଁକି? ଏହାକୁ ଆଧାର କରି ତାଙ୍କୁ ଅଦାଲତ ଜାମିନ୍‌ ଦେଇଛନ୍ତି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.