ନୂଆଦିଲ୍ଲୀ: ଆଜି ଉତ୍କଳ ଦିବସ। ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ । ଓଡ଼ିଶାର ସ୍ବତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ପକାଇ ଏହି ଦିନକୁ ପାଳନ କରୁଛନ୍ତି କୋଟି କୋଟି ଓଡ଼ିଆ। ଏହି ପବିତ୍ର ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମିଳିଛି ଆଉ ଏକ ଖୁସି ଖବର। ଏଣିକି ଦିଲ୍ଲୀରେ ମଧ୍ୟ ପାଳନ ହେବ ଓଡ଼ିଶା ପର୍ବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି।
ମଙ୍ଗଳବାର ଉତ୍କଳ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ହୌଜଖାସ ଜଗନ୍ନାଥ ମନ୍ଦିର ଦର୍ଶନ ଅବସରରେ ଏହି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ମୁଖ୍ୟମନ୍ତ୍ରୀ କହିଛନ୍ତି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଆସନ୍ତା ବର୍ଷଠୁ ଦିଲ୍ଲୀ ସରକାର ମଧ୍ୟ ଓଡ଼ିଶା ପର୍ବ ଧୁମଧାମର ସହ ପାଳନ କରିବେ । ଏବେଠୁ ଦିଲ୍ଲୀ ସରକାରଙ୍କ କ୍ୟାଲେଣ୍ଡରରେ ଓଡ଼ିଶା ପର୍ବକୁ ସାମିଲ କରାଯାଇଛି। ସେପଟେ ଦିଲ୍ଲୀ ସରକାରଙ୍କ ଓଡ଼ିଶା ପର୍ବ ପାଳନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ହୌଜଖାସ ଜଗନ୍ନାଥ ମନ୍ଦିର ସମ୍ପାଦକ ରବି ପ୍ରଧାନ। ସେ କହିଛନ୍ତି ଏହା ଦିଲ୍ଲୀରେ ରହୁଥିବା ୧୦ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ।