ନୂଆଦିଲ୍ଲୀ: ଘନ କୁହୁଡ଼ି କବଳରେ ପୂରା ଦିଲ୍ଲୀ। ରାଜଧାନୀ ଦିଲ୍ଲୀରେ କୁହୁଡ଼ିର ମାତ୍ରା ବୃଦ୍ଧି ପାଇବାରୁ ସୃଷ୍ଟି ହୋଇଛି ଶୂନ୍ୟ ଦୃଶ୍ୟମାନ ସ୍ଥିତି । ଫଳରେ ଜନଜୀବନ ସହ ଦିଲ୍ଲୀକୁ ଯୋଗାଯୋଗ ଗୁରୁତର ଭାବରେ ପ୍ରଭାବିତ ହୋଇଛି। କାରଣ ଏବେ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ବିମାନ ଉଡ଼ାଣ ସହିତ ଟ୍ରେନ୍ ଚଳାଚଳରେ ଅସୁବିଧା ଉପୁଜିଛି ।
ରିପୋର୍ଟ ଅନୁଯାୟୀ, ୫୧ଟି ଟ୍ରେନର ଚଳାଚଳ ବିଳମ୍ବ ହୋଇଥିବାବେଳେ ଏକାଧିକ ବିମାନ ଉଡ଼ାଣର ସମୟ ପରିବର୍ତ୍ତନ କରାଯାଇଛି। ଆଇଏମଡି ଅଧିକାରୀଙ୍କ ଅନୁସାରେ, ଦିଲ୍ଲୀରେ ଜିରୋ ଭିଜିବିଲିଟି (ଶୂନ୍ୟ ଦୃଶ୍ୟମାନତା) ସ୍ଥିତି ଦେଖାଦେଇଛି । ପଶ୍ଚିମା ବାୟୁ ୮ରୁ ୧୩ କିଲୋମିଟର ବେଗରେ ପ୍ରଭାହିତ ହେଉଛି । ଶନିବାର ତୁଳନାରେ ରବିବାର ଦିଲ୍ଲୀରେ ୯ ଘଣ୍ଟା ଧରି ଶୂନ୍ୟ ଦୃଶ୍ୟମାନ ସ୍ଥିତି ରହିଥିଲା । ସେହିଭଳି ପାଲମରେ କମ୍ ସମୟ ସାଢ଼େ ୩ ଘଣ୍ଟା ଜିରୋ ଭିଜିଭିଲିଟି ଥିବା ଜଣାପଡ଼ିଛି ।
ପ୍ରତିକୂଳ ଜଳବାୟୁ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଏବଂ ଦିଲ୍ଲୀକୁ ଅମୃତସର, ଚଣ୍ଡିଗଡ଼, କୋଲକାତା ଏବଂ ଲକ୍ଷ୍ନୌ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ବୋଲି ଇଣ୍ଡିଗୋ ଏୟାର ଲାଇନ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କ ଅସୁବିଧା ଲାଗି ଦୁଃଖ ପ୍ରକାଶ କରିବା ସହ ଏୟାର ଲାଇନ ଓ୍ବେବସାଇଟରେ ବିଳଳ୍ପ ବିମାନ ବୁକ୍ କରିବାକୁ ପରାମର୍ଶ ଦେଇଛି ଇଣ୍ଡିଗୋ ।
ସେପଟେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୧୮.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଏହା ହାରାହାରି ତାପାମତ୍ରାଠୁ ୦.୭ ପ୍ରତିଶତ କମ୍ । ସେହିଭଳି ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ସେଲସିୟସ୍ ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଆହୁରି ମଧ୍ୟ ଡିସେମ୍ବର ୬ରେ ଦିଲ୍ଲୀରେ ମେଘୁଆ ପାଗ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ସ୍ଥିତି ରହିବ।