ଜଗାର ଦର୍ଶନ ବେଳେ ଡହ ଡହ ଖରାରେ ସିଝିଲେ ଭକ୍ତ, କଲେ ବଡ଼ ଦାବି

Published By : Prameya-News7 Bureau | March 31, 2025 IST

ପୁରୀ: ଡହ ଡହ ଖରା ଯୋଗୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ। ଛୁଟିଦିନ ଗୁଡ଼ିକରେ ପ୍ରବଳ ଗହଳି ହେଉଥିବାରୁ ଖରାତାତିରେ ସେମାନେ ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ଭକ୍ତଙ୍କ ସୁବିଧା ପାଇଁ ଆହୁରି ବ୍ୟାପକ ବ୍ୟବସ୍ଥା କରିବାକୁ ଭକ୍ତ ଏବଂ ସେବାୟତ ମତ ପ୍ରକାଶ କରିଛନ୍ତି। ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଖରା ଓ ଗରମ ପାଇଁ ଶ୍ରୀ ମନ୍ଦିରରେ ହୋଇଛି ସେଡ୍ ବ୍ୟବସ୍ଥା।ପାଣି ଦେବା ବ୍ୟବସ୍ଥା ହୋଇଛି, କୁଲର୍ ଲାଗିଛି ଏବଂ ତଳେ ମ୍ୟାଟ ପଡ଼ିଛି।ଭକ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଶ୍ରୀମନ୍ଦିର ସାମ୍ନାରେ  ର୍ଶନ ପାଇଁ ପ୍ରଚଣ୍ଡ ଖରାରେ ଦୀର୍ଘ ସମୟ ଧରି ଲାଇନ ଠିଆ ହୋଇଛନ୍ତି ଭକ୍ତ।ପର୍ଯ୍ୟାପ୍ତ ସେଡର ବ୍ୟବସ୍ଥା ନଥିବାରୁ ଭକ୍ତମାନେ ପ୍ରବଳ ଖରା ଯୋଗୁ କଷ୍ଟ ଭୋଗୁଛନ୍ତି। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର, ରବିବାର ଓ ଛୁଟିଦିନ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି।କିନ୍ତୁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବାରୁ ଖରାରେ ଠିଆ ହୋଇ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ଭକ୍ତ।ତେଣୁ ସୁବିଧା ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ଛାୟା ପ୍ରଦାନ ଓ ବିଶ୍ରାମ ପାଇଁ ସ୍ବତନ୍ତ୍ର ସେଡ୍ କରିବାକୁ ଭକ୍ତ ଓ ସେବାୟତ ମତ ରଖିଛନ୍ତି।ସେହିପରି ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଭକ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଅଧିକ ସ୍ବେଛାସେବୀଙ୍କୁ ନିୟୋଜିତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।


ଶ୍ରୀମନ୍ଦିରରେ ଏ ପର୍ଯ୍ୟନ୍ତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିବାରୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହେବାକୁ ପଡୁଛି।ସେଥିପାଇଁ ଦିବ୍ୟାଙ୍ଗ, ବୟସ୍କ, ମହିଳା ଓ ଶିଶୁ କଷ୍ଟ ଭୋଗୁଛନ୍ତି। ତେଣୁ ଭକ୍ତଯେଭଳି କମ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରିବାକ ଅନୁରୋଧ କରିଛନ୍ତି ସେବାୟତ।ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଭକ୍ତଙ୍କ ସୁବିଧା ସମସ୍ତ ବ୍ୟବସ୍ଥା ହୋଇଛି।

ଏ ବାବଦରେ ଆଇନ ମନ୍ତ୍ରୀ ମଧ୍ୟ କହିଛନ୍ତି ଖରା ଓ ଗରମ ପାଇଁ ଶ୍ରୀ ମନ୍ଦିରରେ ସେଡ୍ ବ୍ୟବସ୍ଥା ହୋଇଛି। ପାଣି ଦେବା ବ୍ୟବସ୍ଥା ହୋଇଛି, କୁଲର୍ ଲାଗିଛି।ତଳେ ମ୍ୟାଟ ପଡ଼ିଛି। ଭକ୍ତଙ୍କ ସଂଖ୍ୟାକୁ ଦେଖିଲେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଯଥେଷ୍ଟ ହୋଇନାହିଁ।ତେଣୁ ଏସବୁ ସମସ୍ୟାରା ସମାଧାନ କରିବା ଜରୁରୀ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.