ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ଏଟିଏସ୍ ପୋଲିସ ଓଡ଼ିଶାର ପୁରୀ ଜିଲ୍ଲାର ଜଣେ ମାନସିକ ଅସୁସ୍ଥ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି। ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତ ହେଉଛନ୍ତି ପ୍ରଭୁ ମାହତୋ, ପ୍ରମୋଦ ଓରଫ ବାବୁ ଓ ମହମ୍ମଦ ଶମଶୁଲ। ତିନି ଅଭିଯୁକ୍ତ ଦିଲ୍ଲୀରେ କୋଟଲା ମୁବାରକପୁର, ନରେଲା ଓ ଗାନ୍ଧିନଗର ଅଞ୍ଚଳରେ ରହୁଛନ୍ତି। ପ୍ରଭୁ ମୂଳତଃ ବିହାରର ମୋତିହାରୀ, ପ୍ରମୋଦ ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଓ ଶମଶୁଲ ବିହାରର ବେଗୁସରାୟର ବାସିନ୍ଦା। ଅଭିଯୁକ୍ତମାନଙ୍କଠୁ ପୋଲିସ ଅଟୋ-ରିକ୍ସା, ରକ୍ତ ରଞ୍ଜିତ ପୀଡ଼ିତା ପୋଷାକ ଓ ଘଟଣା ସମୟରେ ଅଭିଯୁକ୍ତଙ୍କ ଦ୍ଵାରା ପିନ୍ଧିଥିବା ପୋଷାକ ଜବତ କରିଛି।
୨୧ ଦିନ କଠୋର ପରିଶ୍ରମ ପରେ ଧରିଲା ପୋଲିସ
ପୋଲିସ ୨୧ ଦିନର ପରିଶ୍ରମ ଓ ୭୦୦ରୁ ଅଧିକ ସିସିଟିଭି କ୍ୟାମେରା ଯାଞ୍ଚ କରି ଓ ୧୫୦ରୁ ଅଧିକ ଅଟୋ ରିକ୍ସାର ତଲାସି ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ସରାୟ କାଲେ ଖାଁ ନିକଟରେ ଫିଙ୍ଗି ଦେଇଥିଲେ। ଯେଉଁଠୁ ପୋଲିସ ଜଣେ ବ୍ୟକ୍ତିଙ୍କ କଲ୍ ଆଧାରରେ ପୀଡ଼ିତାଙ୍କୁ ଉଦ୍ଧାର କରି ଏମ୍ସ ଟ୍ରାମା ସେଣ୍ଟରରେ ଭର୍ତ୍ତି କରିଥିଲା। ପୀଡ଼ିତା ଓଡ଼ିଶାର ପୁରୀ ଜିଲ୍ଲାର ଏବଂ ଦିଲ୍ଲୀରେ ଜଣେ ସାମାଜିକ କର୍ମୀ ଭାବେ କାମ କରୁଥିଲେ। ସେ ମାନସିକ ଭାବେ ଅସୁସ୍ଥ ଥିଲେ ଓ ନିଜ ପରିବାରଙ୍କ ସହ ଯୋଗାଯୋଗରେ ନ ଥିଲେ।
ଅକ୍ଟୋବର ୧୧ରେ ପୋଲିସକୁ ମିଳିଥିଲା ସୂଚନା
ଡିସିପି ରବି କୁମାର ସିଂ କହିଛନ୍ତି, ଅକ୍ଟୋବର ୧୧ ତାରିଖ ଭୋର ୩ଟା ୧୫ ମିନିଟ୍ରେ ପିସିଆର କଲରୁ ପୋଲିସକୁ ଜଣେ ଯୁବତୀ ସରାୟ କାଲେରେ ମୁମୂର୍ଷ ଅବସ୍ଥାରେ ପଡ଼ି ରହିଥିବା ସୂଚନା ମିଳିଥିଲା। ଫୋନ କରିଥିବା ବ୍ୟକ୍ତି କହିଥିଲେ, ଯୁବତୀ ଆହତ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ଶରୀରରୁ ରକ୍ତ ବାହାରୁଛି ଓ ଲାଲ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏମ୍ସ ଟ୍ରାମା ସେଣ୍ଟରରେ ପୀଡ଼ିତାଙ୍କୁ ଭର୍ତ୍ତି କରିଥିଲା। ପ୍ରାରମ୍ଭିକ ଚିକିତ୍ସା ସମୟରେ ପୀଡ଼ିତା ଡାକ୍ତରଙ୍କୁ କହିଥିଲେ ଯେ ତିନି ବ୍ୟକ୍ତି ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି। ଏହା ପରେ ପୀଡ଼ିତା ଆଉ କିଛି କହିବା ସ୍ଥିତିରେ ନ ଥିଲେ ଏବଂ ଡାକ୍ତର ତାଙ୍କଠୁ ବୟାନ ନେବାକୁ ଅନଫିଟ୍ ଘୋଷିତ କରିଥିଲେ।
୧୦ ଟିମ୍ ଗଠନ କଲା ପୋଲିସ
ପୋଲିସ ସନଲାଇଟ୍ କଲୋନୀ ଥାନାରେ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ପୋଲିସ ପାଖରେ ତିନି ଅଜଣା ଅଭିଯୁକ୍ତଙ୍କ ଘଟଣା ଭିଆଇଥିବା ସୂଚନା ବ୍ୟତୀତ ଆଉ କିଛି ନ ଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଲାଜପତ ନଗର ଏସିପି ଐଶ୍ଵର୍ଯ୍ୟା ସିଂ ଓ ଏସିପି ଅପରେସନ ଦଲୀପ ସିଂଙ୍କ ତତ୍ତ୍ଵାବଧାନରେ ୧୦ ଜଣିଆ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ଡାକ୍ତରଙ୍କୁ ଜଣାଇଲେ ପୀଡ଼ିତା
ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ପୋଲିସ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଅନୁମତିରେ ପୋଲିସ୍ ପୀଡ଼ିତାଙ୍କ ସହିତ ସହାନୁଭୂତି ଭାବନା ସୃଷ୍ଟି କରିବା ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସାମାଜିକ କର୍ମୀ ଭାବେ ମୁତୟନ କରିଥିଲେ। ଓଡ଼ିଶାର ଜଣେ ମହିଳାଙ୍କୁ ନର୍ସ ଭାବେ ରଖା ଯାଇଥିଲା। ଆଉ ପୋଲିସକୁ ଏହି ପ୍ରୟାସର ସକରାତ୍ମକ ପରିଣାମ ମିଳିଥିଲା ଏବଂ ପୀଡ଼ିତା ନିଜ ସହ ଘଟିଥିବା ବର୍ବର କାଣ୍ଡ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଟୋ ଡ୍ରାଇଭର ଓ ଜଣେ ଦିବ୍ୟାଙ୍ଗ ଥିଲା।
ପୋଲିସ ସରାୟ କାଲେ ଖାଁରୁ ପୁରୁଣା ଦିଲ୍ଲୀ ରେଲଓ୍ଵେ ଷ୍ଟେସନ ପର୍ଯ୍ୟନ୍ତ ସବୁ ସରକାରୀ ଓ ପ୍ରାଇଭେଟ୍ ସିସିଟିଭି କ୍ୟାମେରାକୁ ମିଶାଇ ୭୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରି ବିଶ୍ଳେଷଣ କରିଥିଲା। ଏହା ବାଦ୍ ୧୫୦ରୁ ଅଧିକ ଅଟୋ ରିକ୍ସାର ଯାଞ୍ଚ କରାଯାଇଥିଲା। ଶେଷରେ ପୋଲିସ ସେହି ଅଟୋ ରିକ୍ସାର ସନ୍ଧାନ କରିବାରେ ସଫଳ ହୋଇଥିଲା। ଦୁର୍ଘଟଣା ଦିନ ଅକ୍ଟୋବର ୧୦ ରାତିରେ ପ୍ରଭୁ ମହତୋ ଅଟୋ ଚଳାଉଥିଲା। ପୋଲିସ ଏହାର ସନ୍ଧାନ ଲଗାଇ ଅକ୍ଟୋବର ୩୦ରେ ଅଭି୍ଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଏହା ପରେ ପ୍ରମୋଦ ଓରଫ ବାବୁ, ମହମ୍ମଦ ଶମଶୁଲ ଓରଫ ରାଜୁଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ଜେରା ସମୟରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ଵୀକାର କରିଛନ୍ତି।
ପୋଲିସ କହିଛି କବାଡ଼ି ଦୋକାନରେ କାମ କରୁଥିବା ଅଭିଯୁକ୍ତ ପ୍ରମୋଦ ଓରଫ ବାବୁ ଜଣେ ମଦ୍ୟପ ବ୍ୟକ୍ତି। ସେ ସର୍ବଦା ଦୋକାନ ବନ୍ଦ କରି ମଦ୍ୟପାନ କରୁଥିଲା। ଏହା ମଧ୍ୟରେ ତାର ନଜର ଜଣେ ଯୁବତୀଙ୍କ ଉପରେ ପଡ଼ିଥିଲା। କିଛି ବିଳମ୍ବ ପରେ ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ଶମଶୁଲକୁ ପୋଲିସ ଗିରଫ କରିଥିଲା। ସେ ମଧ୍ୟ ଜଣେ ଭିକାରୀ, ମଦ୍ୟପ ଓ ଦିବ୍ୟାଙ୍ଗ।
ଦୁଇ ଅଭିଯୁକ୍ତ ଏହା ଭାବି ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ କାରଣ ପୀଡ଼ିତା ମାନସିକ ଭାବେ ବିକାର ଗ୍ରସ୍ତ ଥିଲେ। ଦୁହେଁ ମିଶି ନିଜର କାମନା ଚରିତାର୍ଥ ପାଇଁ ବଳପୂର୍ବକ ପୀଡ଼ିତାଙ୍କୁ ଟାଣି ଟାଣି ଶୂନଶାନ ଅଞ୍ଚଳକୁ ନେଇ ଯାଇଥିଲେ। ଏହି ସମୟରେ ଅଟୋ ଚାଳକ ପ୍ରଭୁ ମହତୋ ଏହା ଦେଖି ଅଟକି ଯାଇଥିଲା ଓ ନିଜର କାମନା ବାସନା ପାଇଁ ଘଟଣାରେ ସାମିଲ ହୋଇ ଯାଇଥିଲା। ଏହା ପରେ ଅଭିଯୁକ୍ତ ପ୍ରଭୁ ମହତୋ ପୀଡ଼ିତାଙ୍କୁ ନିଜ ଅଟୋରେ ଟାଣିକି ବସାଇଥିଲା। ତିନି ଜଣ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ସରାୟ କାଲେ ଖାଁରେ ପୀଡ଼ିତାଙ୍କୁ ଫିଙ୍ଗି ଫେରାର ହୋଇ ଯାଇଥିଲେ। ମାମଲାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି।