ବିରୁଟ୍,୦୮/୧୧: ଲେବାନନ୍ର ରାଜଧାନୀ ବିରୁଟ୍ ବିମାନବନ୍ଦରରେ ବୋମାମାଡ଼ । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ମିସାଇଲ ଆଟାକ୍ କରିଛି । ବିରୁଟ୍ର କିଛି ସ୍ଥାନ ସମେତ ବେକ୍କା ଘାଟିରେ ବି ଏୟାର ଷ୍ଟ୍ରାଇକ୍ ହୋଇଛି । ଏହି ହମଲାରେ ମୋଟ ୪୦ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।
ରିପୋର୍ଟ ମୁତାବକ, ଆକ୍ରମଣ ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସେସ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିବା ପାଇଁ ଲୋକଙ୍କୁ କହିଥିଲା । ବିରୁଟ୍ରେ ଆକ୍ରମଣ ବେଳେ ଆଇଡିଏଫ୍ ହିଜ୍ବୁଲ୍ଲାର କମାଣ୍ଡ ସେଣ୍ଟର ଓ ଯୁଦ୍ଧାସ୍ତ୍ର ଡିପୋକୁ ଟାର୍ଗେଟ୍ କରିଥିଲା । ଏହା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇସ୍ରାଏଲୀ ସେନା ଲେବାନନ୍ର ବାରଜା ସହରର ଏକ ଅଟ୍ଟାଳିକା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଆକ୍ରମଣ ପୂର୍ବରୁ ଆଇଡିଏଫ୍ କୌଣସି ଚେତାବନୀ ଦେଇ ନ ଥିଲା । ଦୁଇଦିନ ଧରି ଚାଲିଥିବା ଆକ୍ରମଣରେ ମୋଟ୍ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି ।
ଏପଟେ ହିଜ୍ବୁଲ୍ଲା ଆତଙ୍କୀ ସଙ୍ଗଠନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ହୋଇଛି । ସେପଟେ ଗାଜାରେ ବି ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛନ୍ତି । ସେମାନେ ସ୍ଥଳଭାଗରେ ବେଇତ ଲାହିୟା ପର୍ଯ୍ୟନ୍ତ ପହଞ୍ଚିଲେଣି ।