ପାର୍ବଣରେ ତେଲ ବିଗାଡ଼ିଲା ହାଣ୍ଡିଶାଳ ବଜେଟ୍; ମାସକରେ ପାମ୍‌ ଅଏଲ୍ ୩୭% ମହଙ୍ଗା

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ,୨୭/୧୦: ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍‌ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ କରିଛି । ସେହିଭଳି ତେଲ ବ୍ୟବହାର କରି ଜଳଖିଆ ପ୍ରସ୍ତୁତ କରୁଥିବା ମିଠା ଦୋକାନ, ହୋଟେଲ ଏବଂ ରେଷ୍ଟୁରାଷ୍ଟ ଗୁଡ଼ିକରେ ତୈଳ ବୃଦ୍ଧିର ଚାପ ପଡ଼ିଛି । କେବଳ ପାମ୍‌ ଅଏଲ ନୁହେଁ ଘରେ ବ୍ୟବହାର ହେଉଥିବା ସୋରିଷ ତେଲ ଦର ମଧ୍ୟ ଉପରମୁହାଁ ହୋଇଛି । ଗତ ମାସ ତୁଳନାରେ ସୋରିଷ ତେଲ ଦର ୨୯% ବୃଦ୍ଧି ପାଇଛି । ପନିପରିବା ଏବଂ ଖାଦ୍ୟ  ସାମଗ୍ରୀ ଦର ବୃଦ୍ଧି ଯୋଗୁ ସେପ୍ଟେମ୍ବରରେ  ଖୁଚୁରା ମୁଦ୍ରାସ୍ଫୀତି ୯ ମାସର ସର୍ବୋଚ୍ଚ ସ୍ତର  ୫.୫% ସ୍ତର ଛୁଇଁଥିଲା । ଏଭଳି ସ୍ଥିତିରେ  ଖାଇବା ତେଲ ଦର ବୃଦ୍ଧି ମଧ୍ୟ ଦରଦାମ୍ ଚାପକୁ ବଢ଼ାଇଦେଇଛି । ଏବେ ଦରଦାମ ଉଚ୍ଚରେ ରହିଥିବାରୁ  ରିଜର୍ଭ ବ୍ୟାଙ୍କ ରେପୋରେଟ୍‌ କମାଇବା ଆଶା କମ୍‌ ରହିଛି । 

ଗତ ମାସରେ କେନ୍ଦ୍ର ସରକାର ଅଶୋଧିତ ସୋୟାବିନ, ପାମ୍ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନି ଟିକସ  ବୃଦ୍ଧି କରିଥିଲେ । ଫଳରେ ଏହା ଖୁଚୁରା  ଦରକୁ ପ୍ରଭାବିତ କରିଛି । ଅଶୋଧିତ ପାମ,   ସୋୟାବିନ ଏବଂ ସୂର୍ଯ୍ୟମୁଖୀ କ୍ଷେତ୍ରରେ ଆମଦାନି ଟିକସ ୫.୫%ରୁ ୨୭.୫%କୁ ବୃଦ୍ଧି ହୋଇଛି । ୧୪ ସେପ୍ଟେମ୍ବରରୁ ଲାଗୁ ହୋଇଛି ଏହି  ନିୟମ । ଏହି ସବୁ ବର୍ଗଗୁଡିକ ସାଧାରଣତଃ  ଦେଶରେ ଖାଇବା ତେଲ ଲାଗି ବହୁଳ  ଭାବେ ଆମଦାନି କରାଯାଇଥାଏ । ଜଣେ  ଅଧିକାରୀ କହିଛନ୍ତି, ଭାରତ ଏହାର ମୋଟ୍ ଖାଇବା ତେଲ ଆବଶ୍ୟକତାର ୫୮%  ଆମଦାନି ଦ୍ୱାରା ପୂରଣ ହୋଇଥାଏ । ଦେଶ ପାଲଟିଛି ଖାଇବା ତେଲର ଦ୍ୱିତୀୟ ବୃହତ୍‌ ଆମଦାନୀକାରୀ । ଗତ ମାସ ତୁଳନାରେ ସାରା ବିଶ୍ୱରେ ଅଶୋଧିତ ପାମ୍‌, ସୋୟା ଏବଂ ସୂର୍ଯ୍ୟମୁଖୀ ତେଲ ପ୍ରାୟ ୧୦.୬%,   ୧୬.୮% ଏବଂ ୧୨.୩% ବୃଦ୍ଧି ହୋଇଛି । ଏବେ ଆମଦାନି ଟିକସ କମିବା ଆଶା କ୍ଷୀଣ । ତେଣୁ ଖାଉଟି ଆଗାମୀ କିଛି  ମାସ ଯାଏ ଚଢ଼ା ଦରରେ ଖାଇବା ତେଲ କିଣିବା ଏକ ପ୍ରକାର ନିଶ୍ଚତ ବୋଲି ବିଶେଷଜ୍ଞ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.