ବଡ଼ଦାଣ୍ଡର ଏକ ସ୍ଥାନରେ ବିକ୍ରି ହେଉଥିବା ଖଜା‌କୁ ଖାଉଛି କୁକୁର, ଭିଡିଓ ଭାଇରାଲ୍...

Published By : Prameya-News7 Bureau | January 06, 2025 IST

ପୁରୀ 06/01 :  ପୁରୀଗଲେ ଖଜା ଖାଇବା ଆଉ ଆଣିବାଟା ଥୟ। ମାଲିକେ, କ୍ଷେତ୍ରରେ ମଉଜ କ୍ଷେତ୍ରରେ ଖଜାଟା ଗୋଟିଏ ଖିଅ। ଦାଣ୍ଡକୁ ଆଇଲେ ଯାହାକୁ ଯେତେ। କିଏ ତାକୁ ଖଜା କୁହନ୍ତି ତ  ଆଉ କିଏ ଫେଣି ବି ଡାକନ୍ତି। ପାଟିକୁ ସୁଆଦ, ମୁସୁମୁସିଆ ମିଠା। କାଳିଆକୁ ଆନନ୍ଦ ଦେଉଥିବା ଏ ଦରବ ଟି ପୁରୀର ଗୋଟାଏ ସ୍ବତନ୍ତ୍ର ପରିଚୟ। କିନ୍ତୁ ସେହି ଖଜାକୁ ନେଇ ଗୋଟିଏ ଦୃଶ୍ୟ ଦୁଃଖ ଯେତିକି ଦେଇଛି, ସେତିକି ଚିନ୍ତା ବି ଦେଇଛି। କାରଣ ଏ ଦୃଶ୍ୟଟି ବଡ଼ ଦାଣ୍ଡର। ତାକୁ ନେଇ ଚିନ୍ତା ଆଉ ଆଶଙ୍କାର ଅନେକ ପ୍ରଶ୍ନ।  

ହଁ ଆଜ୍ଞା ବଡ଼ଦାଣ୍ଡର ଏକ ସ୍ଥାନରେ ବିକ୍ରି ହେଉଥିବା ଏହି ଖଜା‌କୁ ଖାଉଛି  କୁକୁର। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ବଡ଼ ଓ ଆଶ୍ଚର୍ଯ୍ୟକର କଥା ହେଉଛି , ଖଜା ବିକ୍ରି ହେଉଥିବା ସ୍ଥାନରେ ଜଣେ ମହିଳା ବି  ବସି ବ୍ୟବସାୟ କରୁଛନ୍ତି। ଆଉ ଆଖପାଖରେ ଲୋକେ ବି ଯାଆସ କରୁଛନ୍ତି। କିନ୍ତୁ କେହି ବି କୁକୁରଟିକୁ ଘଉଡାଉନଥିବା ଦେଖିବାକୁ ମିଳିଛି।  ଖଜା ବ୍ୟବସାୟ କରୁଥିବା ଉଠା ଦୋକାନୀ ଜଣକ ଦୋକାନ ଛାଡ଼ି କେଉଁଆଡେ ଚାଲିଯାଇ ଥିବା ବେଳେ ଘଟିଛି ଏଭଳି । ଦୋକାନର କେହି ନଥିବାର ସୁଯୋଗ ନେଇ ଖଜାକୁ କୁକୁର ଖାଉଛି। ଆଉ ଦେଖଣାହାରୀ ବି ଚୁପ୍। 

ଭିଡିଓଟି ଏତିକି ଆସିଛି ତାପରର ଦୃଶ୍ୟ କିମ୍ବା ଘଟଣାର କିଛି ସୂଚନା ନାହିଁ। ହୁଏତ ଦୋକନୀ ଜଣକ ଏହା ଜାଣିବା ପରେ ସବୁତକ ଖଜା ଫୋପାଡ଼ି ଥିବେ। ବିଚରା ବହୁତ କ୍ଷତି ସହ ଦୁଃଖରେ ଘରକୁ ଫେରିଥିବେ। ଅବା ଏମିତି ବି ହୋଇଥାଇ ପାରେ କୁକୁରକୁ କିଏ ଘଉଡାଇ ଦେଇଥିବ।  ଅଜ୍ଞାତସାରରେ ଦୋକନୀ ଖଜାକୁ ଫୋପାଡ଼ି ନଥିବେ।  ଯାହା ବି ହେଉ ଏହା ଚିନ୍ତାଦାୟକ। କୁକୁର ଟିର କିଛି ଭୁଲ ନାହିଁ , ନଜାଣିବା ଲୋକର ବି ଭାବିବାର କାରଣ ନାହିଁ। କିନ୍ତୁ ଏଭଳି ଘଟଣା ଚିନ୍ତା ଓ ଦୁଃଖ ନିଶ୍ଚୟ କାରଣ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି। ଶ୍ରୀମନ୍ଦିର ଭିତରେ ବିକ୍ରି ହେଉଥିବା ମହାପ୍ରସାଦ ଏବଂ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁ ମାନେ ନେଇଥାନ୍ତି। କିନ୍ତୁ ବଡ଼ଦାଣ୍ଡରେ ବିକ୍ରି ହେଉଥିବା ଖଜାକୁ କୁକୁର ଖାଉଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିବା ପରେ ଏହାକୁ ନେଇ ଭକ୍ତଙ୍କ ମନରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ । 

Also Read-  ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦୋଷ ଦେଲେ,୨୪ ବର୍ଷ ଶାସନର ଫଳ ଏବେ ଭୋଗୁଛୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.