ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍, ବୁଲଡୋଜର ନ୍ୟାୟ, ବିଲକିସ୍ ବାନୋ, ଶିଶୁ ପର୍ଣ୍ଣୋଗ୍ରାଫି ରଦ୍ଦଠୁ ନେଇ ଜେଲ୍ ରେ ଜାତିଗତ ଭେଦଭାବ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ୨୦୨୪ରେ ନ୍ୟାୟପାଳିକା ପାଇଁ ବଡ଼ ମାଇଲଖୁଣ୍ଟ ପାର୍ କରିଛି । ଦେଶରେ ନୀତିଗତ ଢାଞ୍ଚାକୁ ନୂଆ ରୂପ ଦେଇଛି ଅଦାଲତଙ୍କ ନିଷ୍ପତ୍ତି । ସାମ୍ବିଧାନିକ ସିଦ୍ଧାନ୍ତ ସହ ଲୋକଙ୍କ ଆଇନଗତ ଅଧିକାର ଉପରେ ଏହି ରାୟ ମାଧ୍ୟମରେ ଜୋର୍ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।...
ନ୍ୟାୟପାଳିକାର ୧୦ ଐତିହାସିକ ନିର୍ଣ୍ଣୟ । ନୀତିଗତ ଢାଞ୍ଚାକୁ ଦେଲା ନୂଆ ରୂପ । ସ୍କ୍ରାପ ହୋଇଗଲା ନିର୍ବାଚନ ବଣ୍ଡ୍ ସ୍କିମ୍ । ବୁଲ୍ ଡୋଜର ନ୍ୟାୟ ବେଆଇନ ଘୋଷଣା । ଜେଲରେ ଜାତିଗତ ଭେଦଭାବ ଖାରଜ୍ । ବାଲ୍ ପର୍ଣ୍ଣୋଗ୍ରାଫି ପୋକ୍ସୋ ଅଧିନିୟମରେ ଅପରାଧ । ୨୦୨୪ ଭାରତୀୟ ନ୍ୟାୟପାଳିକା ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ରହିଥିଲା । ଚଳିତ ବର୍ଷର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦେଶରେ ଆଇନଗତ ଢାଞ୍ଚାକୁ ପୁନଃ ରୂପ ଦେଇଛି । ଏହା ସହିତ ଦେଶରେ ରାଜନୈତିକ, ସାମାଜିକ ଏବଂ ଆଇନଗତ ମୂଲ୍ୟବୋଧ ଉପରେ ଚିରସ୍ଥାୟୀ ପ୍ରଭାବର ଛାପ ଛାଡ଼ିଛି ।
୨୦୨୪ରେ ସୁପ୍ରିମକୋର୍ଟଙ୍କ ୧୦ଟି ଐତିହାସିକ ନିଷ୍ପତ୍ତି ନେଇ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ଦୂରତ୍ବକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ଫେବ୍ରୁଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡ୍ କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅନୁଚ୍ଛେଦ ୧୯ (୧)(କ)ରେ ସୂଚନାର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଥିବାରୁ ନିର୍ବାଚନ ବଣ୍ଡ୍ ସ୍କିମକୁ ରଦ୍ଦ କରି ଦେଇଥିଲେ ଅଦାଲତ । ରାଜନୈତିକ ପାର୍ଟିମାନଙ୍କୁ ଅଜ୍ଞାତ ଦାନ ଗଣତନ୍ତ୍ରକୁ ଦୁର୍ବଳ କରୁଥିଲା ଏବଂ ସାଧାରଣ ଲୋକ ସ୍ବଚ୍ଛତାରୁ ବଞ୍ଚିତ ହେଉଥିଲେ ବୋଲି ପୂର୍ବତନ ପ୍ରଧାନ ବିଚାରପତଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥିଲେ ।
ଏସସି-ଏସଟି କୋଟାରେ ଉପ-ବର୍ଗୀକରଣକୁ ମିଳିଛି ସୁପ୍ରିମକୋର୍ଟଙ୍କ ଅନୁମୋଦନ । ୨୦୨୪ ଅଗଷ୍ଟ ପହିଲାରେ ଐତିହାସିକ ରାୟ ଶୁଣାଇଥିଲେ ସର୍ବୋଚ୍ଚ ଅଦାଲତ । ଅନୁସୂଚୀତ ଜାତି ଏବଂ ଜନଜାତି ବର୍ଗ ମଧ୍ୟରେ ଉପ-ବର୍ଗୀକରଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହା ଦ୍ବାରା ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ସୂକ୍ଷ୍ମ ଭାବେ ଆବଣ୍ଟନ ହୋଇପାରିବ । ଦଳିତ ସମ୍ପ୍ରଦାୟ ମଧ୍ୟରେ ଥିବା ଅସମାନତାକୁ ସମାଧାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ୨୦୦୪ରେ ଇଭି ଚିନ୍ନାୟା ମାମଲାରେ ଏସସି-ଏସଟି ଉପ-ବର୍ଗୀକରଣକୁ ଖାରଜ୍ କରିଥିଲେ କୋର୍ଟ ।
ଜେଲରେ ଜାତିଗତ ଭେଦଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । ଅକ୍ଟୋବର ୧୩ରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଜେଲ୍ ମାନୁଆଲରେ ଶାରୀରିକ ଶ୍ରମ ବିଭାଜନ, ବ୍ୟାରେକ୍ ପୃଥକୀକରଣ ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ପକ୍ଷପାତିତା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ପକ୍ଷପାତତାକୁ ପ୍ରୋତ୍ସାହିତ କରୁଥିବା ୧୦ ରାଜ୍ୟର ଜେଲ୍ ମାନୁଆଲଙ୍କୁ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାଛଡ଼ା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଜେଲ୍ ମାନୁଆଲ୍ ଏବଂ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ ବୁଲ୍ଡୋଜର ନ୍ୟାୟ ବେଆଇନ। ମନମୁଖୀ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା । ସେପ୍ଟେମ୍ବର ୧୭ରେ ବୁଲ୍ଡୋଜର ଆକ୍ସନ ଉପର ରୋକ୍ ଲଗାଇଥିଲେ ସର୍ବୋଚ୍ଚ ଅଦାଲତ । ନଭେମ୍ବର ୧୩ରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କୋର୍ଟ କହିଥିଲେ, ସଭ୍ୟ ସମାଜରେ ବୁଲ୍ଡୋଜର ନ୍ୟାୟ ସ୍ବୀକାର ଯୋଗ୍ୟ ନୁହେଁ । ଏହାକୁ ଅନୁମତି ଦିଆଗଲେ ଅନୁଚ୍ଛେଦ ୩୦୦(କ)ର ସମ୍ପତ୍ତଗତ ଅଧିକାର ସାମ୍ବିଧାନିକ ମାନ୍ୟତାରୁ ବାଦ୍ପଡିବ ବୋଲି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ।
ସୁପ୍ରିକୋର୍ଟଙ୍କ ଐତିହାସିକ ରାୟ ମଧ୍ୟରେ ନାଗରିକତା ଅଧିନିୟମ ଅନ୍ୟତମ । ନାଗରିକତା ଅଧିନିୟକ,୧୯୫୫ର ଧାରା ୬କୁ କାଏମ ସାମ୍ବିଧାନିକ ଖଣ୍ଡପୀଠ । ଏହି ଧାରା ୧ ଜାନୁଆରୀ ୧୯୬୬ ଏବଂ ୨୫ ମାର୍ଚ୍ଚ ୧୯୭୧ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ ନାଗରିକତା ପ୍ରଦାନ କରିଥିଲା । ସେହିପରି ବିଲ୍କିସ୍ ବାନୋ ସାମୂହିକ ଦୁଷ୍କର୍ମ ମାମଲାରେ ଗୁଜରାଟ ସରକାର ୧୧ ଦୋଷୀଙ୍କ ସଜା ସମାପ୍ତ କରି ମୁକ୍ତକରିବା ନିଷ୍ପତ୍ତି ବିରୋଧରେ ରାୟ ଶୁଣାଇଥିଲେ । ଗୁଜରାଟ ସରକାରଙ୍କ ଆଦେଶଙ୍କୁ ରଦ୍ଦ ପୁଣି ଥରେ ଦୋଷୀଙ୍କୁ ଜେଲକୁ ପଠାଇ ଦେଇଥିଲେ । ଏହାଛଡ଼ା ପୂର୍ବଚନ ସିଜେଆଇ ଉତ୍ତର ପ୍ରଦେଶ ମଦରସା ଆଇନକୁ ମଧ୍ୟ ବୈଧ୍ୟତା ରଖିଛନ୍ତି ।
ସେପ୍ଟେମ୍ବର୨୩ ତାରିଖରେ ଶିଶୁ ପର୍ଣ୍ଣୋଗ୍ରାଫି ମାମଲାରେ ମହତ୍ବପୂର୍ଣ୍ଣ ରାୟ ଘୋଷଣା କରିଥିଲେ ସୁପ୍ରିମକୋର୍ଟ । ପୋକ୍ସୋ ଆଇନ ଅଧିନିୟମରେ ଏହାକୁ ଅପରାଧ ମାନିଛନ୍ତି ଅଦାଲତ । ଜଷ୍ଟିସ୍ ଡିଓ୍ବାଉ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାରଦିଓ୍ବାଲାଙ୍କ ଖଣ୍ଡପୀଠ ମାଦ୍ରସ୍ ହାଇକୋର୍ଟଙ୍କ ରାୟକୁ ଓଲଟାଇ ଦେଇଛନ୍ତି । ବିନା କୌଣସି ମତଲବରେ ଶିଶୁ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରିବା କିମ୍ବା ଦେଖିବା ଅପରାଧ ନୁହେଁ । ପୋକ୍ସୋ ଅଧିନିୟମ ଆଧାରରେ ସର୍ବୋଚ୍ଚ ଅଦାଲତ ଏହାକୁ ଅପରାଧ ମାନିଛନ୍ତି । ୨୦୨୪ରେ ନ୍ୟାୟପାଳିକାର ୧୦ ଐତିହାସିକ ନିର୍ଣ୍ଣୟ ନୀତିଗତ ଢାଞ୍ଚାକୁ ନୂଆ ରୂପ ଦେଉଛି ।