‘ହାତୀ-ଡ୍ରାଗନ୍ ନାଚ’, ଏହା ହିଁ ଏକମାତ୍ର ବିକଳ୍ପ; ପିଏମ୍ ମୋଦୀଙ୍କ ଟିପ୍ପଣୀକୁ ପ୍ରଶଂସା କଲା ଚୀନ

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ: ଆମେରିକୀୟ ପୋଡ୍‌କାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନାକୁ ନେଇ ଚୀନ ପ୍ରଶଂସା କରିଛି । ଏହାସହ ହାତୀ ଓ ଡ୍ରାଗନ୍ ମିଶି ଉତ୍ସାହ ସହ କାମ କରିବା ହିଁ ଏକମାତ୍ର ବିକଳ୍ପ ବୋଲି କହିଛି । ପୋଡ୍‌କାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ସମ୍ପର୍କ ଉପରେ ସକାରାତ୍ମକ ଟିପ୍ପଣୀ କରିଥିଲେ, ଯାହାକୁ ଚୀନ ପ୍ରଶଂସା କରିଛି । ପିଏମ୍ ମୋଦୀ ଭାରତ ଓ ଚୀନ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଜୋର ଦେଇ କହିଥିଲେ ଯେ ପ୍ରତିଦ୍ୱନ୍ଦ୍ୱିତାକୁ ସଂଘର୍ଷରେ ନବଦଳାଇବା ଦରକାର ଓ ମତଭେଦ ବିବାଦରେ ପରିଣତ ନହେବା ଦରକାର । 

ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ ପ୍ରଶଂସା କରିଛନ୍ତି । ସାମ୍ୱାଦିକଙ୍କୁ ସେ କହିଛନ୍ତି, '୨୦୦୦ରୁ ଅଧିକ ବର୍ଷର ଇତିହାସରେ ଦୁଇ ଦେଶ ବନ୍ଧୁତାପୂର୍ଣ୍ଣ ଆଦାନ-ପ୍ରଦାନ ବଜାୟ ରଖିଛନ୍ତି ଓ ଦୁଇ ଦେଶ ସଭ୍ୟତାଗତ ଉପଲବ୍ଧି ଏବଂ ମାନବ ପ୍ରଗତିରେ ଯୋଗଦାନ କରି ପରସ୍ପରଠାରୁ ଶିଖିଛନ୍ତି ।'

ପୋଡ୍‌କାଷ୍ଟରେ ପିଏମ୍ ମୋଦୀ କହିଥିଲେ, 'ଯଦି ଆପଣ ଐତିହାସିକ ଅଭିଲେଖକୁ ଦେଖିବେ, ତେବେ ଶତାବ୍ଦୀ ଶତାବ୍ଦୀ ଧରି ଭାରତ ଓ ଚୀନ ପରସ୍ପରଠାରୁ ଶିଖିଛନ୍ତି । ମିଳିତ ଭାବେ ସେମାନେ ବିଭିନ୍ନ ମାର୍ଗରେ ବୈଶ୍ୱିକ ବୃଦ୍ଧିରେ ଯୋଗଦାନ କରିଛନ୍ତି । ପୁରୁଣା ଅଭିଲେଖାରୁ ଜଣାପଡ଼େ ଯେ ଏକଦା ଭାରତ ଓ ଚୀନ ଦୁନିଆର ଜିଡିପିରେ ୫୦ ପ୍ରତିଶତରୁ ଅଧିକ ଯୋଗଦାନ କରୁଥିଲେ । ମୋ ମତରେ ଆମର ସମ୍ପର୍କକୁ ମଜଭୁତ ଅଛି, ଯାହା ଆମର ଗଭୀର ସାଂସ୍କୃତିକ ସମ୍ପର୍କରେ ଲୁଚି ରହିଛି ।' ଏହାସହ ଦୁଇ ଦେଶ ମଧ୍ୟରେ କିଛି ମତଭେଦ ଥିବା କଥାକୁ ସେ ସ୍ୱୀକାର କରିଥିଲେ । ମତଭେଦ ବିବାଦରେ ଯେପରି ପରିଣତ ହେବ ନାହିଁ ତାହା ଉପରେ ଆମର ଧ୍ୟାନ ରହିଛି । ଆମେ ଏହି ଦିଗରେ ସକ୍ରିୟ ରୂପେ କାମ କରୁଛୁ ବୋଲି ସେ କହିଥିଲେ ।

ଚୀନ ମୁଖପାତ୍ର ଆଜି କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପର ଏପରି ସହଯୋଗୀ ହେବା ଦରକାର, ଯେଉଁଥିରେ ପରସ୍ପରର ସଫଳତାରେ ଯୋଗଦାନ କରିପାରିବେ । ସେ କହିଛନ୍ତି ଯେ ଉଭୟ ପକ୍ଷଙ୍କ ପାଇଁ ଏକମାତ୍ର ବିକଳ୍ପ ଏହା ଯେ ଡ୍ରାଗନ ଓ ହାତୀ ମଧ୍ୟରେ ବେଲି ଡ୍ୟାନ୍ସ ଆୟୋଜିତ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.