ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ସଂଘର୍ଷ ଶେଷ ଓ ଯୁଦ୍ଧବିରତି ପାଇଁ ମଙ୍ଗଳବାର ନିଜ ରୁଷ ସମକକ୍ଷଙ୍କ ସହ ଆଲୋଚନା କରିବେ । ସୋମବାର ନିଜେ ଆମେରିକା ରାଷ୍ଟ୍ରପତି ଏକଥା କହିଛନ୍ତି । ତେବେ ଟ୍ରମ୍ପଙ୍କ ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ସୋମବାର କ୍ରେମଲିନ୍ କହିଥିଲା ଯେ ଯୁଦ୍ଧବିରତି ପାଇଁ ନିର୍ଭରଯୋଗ୍ୟ ଗ୍ୟାରେଣ୍ଟି (Ironclad guarantee) ଦରକାର । ଏହି ଗ୍ୟାରେଣ୍ଟିରେ ୟୁକ୍ରେନକୁ ନାଟୋ ସଦସ୍ୟ ନକରିବା ଓ କିଭ୍ ନିରପେକ୍ଷ ରାଷ୍ଟ୍ର ହୋଇ ରହିବା ସାମିଲ ।
ଆମେରିକା ରାଷ୍ଟ୍ରପତି ସାମ୍ୱାଦିକଙ୍କୁ କହିଛନ୍ତି, 'ଆମେ ଏହି ଯୁଦ୍ଧକୁ ସମାପ୍ତ କରିପାରିବୁ କି ନାହିଁ ତାହା ଦେଖିବାକୁ ଚାହୁଁଛୁ । ଏଥିରେ ଆମେ ସଫଳ ହୋଇପାରୁ, ନହୋଇ ବି ପାରୁ । କିନ୍ତୁ ମୁଁ ଅନୁଭବ କରେ ଯେ ମଙ୍ଗଳବାର ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବାର ଭଲ ସୁଯୋଗ ଆମ ପାଖରେ ରହିଛି । ଗତ ସପ୍ତାହରେ ଏହା ଉପରେ ଅନେକ କାମ କରାଯାଇଛି ।'
ରୁଷ ଓ ୟୁକ୍ରେନ ମଧ୍ୟରେ ୩୦ ଦିନିଆ ଯୁଦ୍ଧବିରତି ନେଇ ଆମେରିକା ଦ୍ୱାରା ପ୍ରସ୍ତାବ ରଖାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହା ଉପରେ ସହମତି ପ୍ରକାଶ କରିସାରିଛନ୍ତି । ମସ୍କୋ ବି ଏହି ବୁଝାମଣା ଉପରେ ଏକ ପ୍ରକାର ସହମତି ପ୍ରକାଶ କରୁଛି । କିନ୍ତୁ ରାଷ୍ଟ୍ରପତି ପୁଟିନ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ କୌଣସି ବି ବୁଝାମଣା ଉପରେ ହସ୍ତାକ୍ଷର କରିବା ପୂର୍ବରୁ କିଛି ସର୍ତ୍ତରେ ଗ୍ୟାରେଣ୍ଟି ଦରକାର ।
ରୁଷ ଉପବିଦେଶ ମନ୍ତ୍ରୀ ଆଲେକ୍ସଜାଣ୍ଡର ଗ୍ରୁସ୍କୋ କହିଛନ୍ତି, 'ଏହି ରାଜିନାମାରେ ସୁରକ୍ଷା ମଜଭୁତ ଗ୍ୟାରେଣ୍ଟି ପ୍ରମୁଖ ଅଂଶ ହେଉ ବୋଲି ଆମେ ଦାବି କରୁଛୁ ।' ଏଥିପାଇଁ ସେ ଇଂରାଜୀରେ Ironclad guarantee ଶବ୍ଦ ବ୍ୟବହାର କରିଛନ୍ତି । ୟୁକ୍ରେନରେ ନାଟୋ ସୈନ୍ୟର ଭବିଷ୍ୟତ ଉପସ୍ଥିତି ପ୍ରତି କଡ଼ା ବିରୋଧ ବ୍ୟକ୍ତ କରି ସେ କହିଛନ୍ତି, 'ଏହି ଗ୍ୟାରେଣ୍ଟିଗୁଡ଼ିକ ମଧ୍ୟରେ ୟୁକ୍ରେନର ନିରପେକ୍ଷ ସ୍ଥିତି, ନାଟୋ ଦେଶ ଦ୍ୱାରା ସଦସ୍ୟତାକୁ ଅସ୍ୱୀକାର ସାମିଲ ରହିବା ଦରକାର ।'
ଗତ ସପ୍ତାହରେ ଆମେରିକାର ଶାନ୍ତି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ ପୁଟିନ କହିଥିଲେ ଯେ ମସ୍କୋ ଏହି ସଂଘର୍ଷକୁ ଶାନ୍ତପୂର୍ଣ୍ଣ ଭାବେ ଶେଷ କରିବା ବିଚାରର ସମର୍ଥନ କରୁଛି । କିନ୍ତୁ ସ୍ଥାୟୀ ଶାନ୍ତି ପାଇଁ ମୂଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।