ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି । ଅର୍ଥନୈତିକ ସର୍ଭେ ଅନୁସାରେ ଆଗାମୀ ଆର୍ଥିକ ବର୍ଷରେ ଦେଶର ଜିଡିପି ୭ ପ୍ରତିଶତରୁ କମ ରହିପାରେ, ଯାହା ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ପ୍ରାୟ ୨ ପ୍ରତିଶତ କମ । ସେହି ବର୍ଷ ଦେଶରେ ରିୟଲ ଜିଡିପି ୮ ପ୍ରତିଶତ ଉପରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ଅର୍ଥନୈତିକ ସର୍ଭେ ଚଳିତ ବର୍ଷର ଆର୍ଥିକ ପ୍ରଦର୍ଶନକୁ ଦର୍ଶାଇବା ସହ ଆଗାମୀ ଆର୍ଥିକ ବର୍ଷ ପାଇଁ ପୂର୍ବାନୁମାନ କରିଥାଏ ।
ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁସାରେ ଆର୍ଥିକ ବର୍ଷ ୨୦୨୬ରେ ଦେଶର ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିପାରେ । ଅର୍ଥନୈତିକ ସର୍ଭେ ଦର୍ଶାଉଛି ଯେ ଆଗାମୀ ଆର୍ଥିକ ବର୍ଷରେ ବି ଅର୍ଥନୀତି ଧିମେଇଯିବ । ଜିଏସଟି ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧିର ପୂର୍ବାନୁମାନ ରହିଛି, ଯାହା ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ । ଏହି ସର୍ଭେ ଢାଞ୍ଚାଗତ ସୁଧାର ଏବଂ ଆର୍ଥିକ ସ୍ଥିରତା ଦିଗରେ ସରକାରଙ୍କ ପ୍ରୟାସକୁ ରେଖାଙ୍କିତ କରୁଛି । ସରକାରଙ୍କ ଅନୁମାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (IMF)ର ୬.୫ ପ୍ରତିଶତ ଅନୁମାନ ନିକଟରେ ରହିଛି ।
କିପରି ପୂରଣ ହେବ ବିକଶିତ ଭାରତର ସ୍ୱପ୍ନ
ଅର୍ଥନୈତିକ ସର୍ଭେ ୨୦୨୫ ଅନୁସାରେ ଦେଶକୁ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବା ପାଇଁ ୮ ପ୍ରତିଶତ ଅଭିବୃଦ୍ଧି ଆବଶ୍ୟକତା ରହିଛି । ବର୍ତ୍ତମାନ ଆହ୍ୱାନ ସତ୍ତ୍ୱେ ସରକାର ଆର୍ଥିକ ବର୍ଷ ୨୦୨୬ରେ ରାଜସ୍ୱ ନିଅଣ୍ଟ (Fiscal Deficit)କୁ ଜିଡିପିର ୪.୫ ପ୍ରତିଶତରୁ କମ ରଖିବା ପାଇଁ ପ୍ରୟାସ କରିବେ । ସର୍ଭେରେ ଏହା ମଧ୍ୟ ସାମନାକୁ ଆସିଛି ଯେ ଗ୍ଲୋବାଲ୍ ଆଇପିଓ ଲିଷ୍ଟିଂରେ ଭାରତର ଭାଗିଦାରୀ ୨୦୨୪ରେ ବଢି ୩୦ ପ୍ରତିଶତ ହୋଇଛି, ଯାହା ୨୦୨୩ରେ ୧୭ ପ୍ରତିଶତ ଥିଲା । ଗତ ଏକ ଦଶନ୍ଧିରେ ନିଫ୍ଟି ୫୦ ୮.୮ ପ୍ରତିଶତରୁ ଅଧିକ ବର୍ଷିକ ରିଟର୍ଣ୍ଣ ଦେଇଛି । ତେବେ ଏହା us nasdaq (୧୫.୩%) ଏବଂ ଡାଉ ଜୋନ୍ସ (୯.୨%) ପରି ସୂଚକାଙ୍କ ପଛରେ ରହିଛି । କିନ୍ତୁ ଚୀନର ସଂଘାଇ କମ୍ପୋଜିଟ୍ (୩.୨%)ଠାରୁ ଭଲ ପ୍ରଦର୍ଶନ କରିଛି ।
ଗ୍ରାମୀଣ ଅର୍ଥନୀତିରେ ଚାହିଦା ବଢିବାର ସମ୍ଭାବନା
ଅର୍ଥନୈତିକ ସର୍ଭେ ୨୦୨୫ ଅନୁସାରେ କୃଷିରେ ସୁଧାର, ଖାଦ୍ୟ ମୁଦ୍ରାସ୍ଫୀତି ଅର୍ଥାତ୍ ଖାଦ୍ୟ-ପେୟ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ସ୍ଥିର ଆର୍ଥିକ ମାହୋଲ ଯୋଗୁ ଗ୍ରାମୀଣ ଅର୍ଥନୀତିରେ ଚାହିଦା ମଜଭୁତ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଆଗାମୀ ସମୟରେ ବିକାଶର ସମ୍ଭାବନା ବୃଦ୍ଧି ପାଇବ । ତେବେ, ଏଥିରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଦୁନିଆରେ ଚାଲିଥିବା ସଂଘର୍ଷ, ବ୍ୟବସାୟରେ ଅନିଶ୍ଚିତତା ଏବଂ ପୋଟେନସିଆଲ୍ କମୋଡିଟି ମୂଲ୍ୟ ବୃଦ୍ଧି ଅର୍ଥନୀତିକ ସ୍ଥିରତା ପାଇଁ ଆହ୍ୱାନ ସୃଷ୍ଟି କରିପାରେ ।
ପ୍ରାରମ୍ଭିକ ୮ ମାସରେ ୧୭.୯ ପ୍ରତିଶତ ବଢିଛି FDI ପ୍ରବାହ
ଅର୍ଥନୈତିକ ସର୍ଭେ ୨୦୨୫ରେ ଏଫ୍ଡିଆଇ ପ୍ରବାହରେ ବୃଦ୍ଧି ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ୮ ମାସରେ ଏଫ୍ଡିଆଇ ଇନଫ୍ଲୋ ବଢି ୫୫.୬ ବିଲିୟନ ଡଲାର ହୋଇଛି । ଗତ ବର୍ଷ ସମାନ ଅବଧି ତୁଳନାରେ ଏଥିରେ ୧୭.୯ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଗତ ବର୍ଷର ଆଲୋଚ୍ୟ ଅବଧିରେ ଦେଶରେ ଏଫ୍ଡିଆଇ ପ୍ରବାହ ୪୭.୨ ବିଲିୟନ ଡଲାର ରହିଥିଲା ।
ପୁଞ୍ଜିଗତ ବ୍ୟୟ ୮.୨ ପ୍ରତିଶତ ବଢିଛି
ଅର୍ଥନୈତିକ ସର୍ଭେ ଅନୁସାରେ ୨୦୨୪ ଜୁଲାଇରୁ ନଭେମ୍ୱର ମଧ୍ୟରେ ସରକାରଙ୍କ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ୮.୨ ପ୍ରତିଶତ ବଢିଛି । ପ୍ରତିରକ୍ଷା, ରେଲୱେ ଏବଂ ରୋଡ୍ ଟ୍ରାନ୍ସପୋର୍ଟର ମୋଟ୍ ପୁଞ୍ଜିଗତ ବ୍ୟୟରେ ୭୫ ପ୍ରତିଶତ ଖର୍ଚ୍ଚ ହୋଇଛି । ସେହିପରି ଉର୍ଜା, ଖାଦ୍ୟ ଏବଂ ଖାଉଟି ଯୋଗାଣ ପରି ସେକ୍ଟର୍ସରେ ବାର୍ଷିକ ଆଧାରରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଗତ ୫ ବର୍ଷରେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ ସରକାରଙ୍କ ପୁଞ୍ଜିଗତ ବ୍ୟାୟରେ ହାରାହାରି ୩୮.୮ ପ୍ରତିଶତ ଦେଖିବାକୁ ମିଳିଛି ।