ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୨୯.୭୫ କୋଟି ଟଙ୍କାର ନୂଆ ସମ୍ପତ୍ତି ଆଟାଚ୍

Published By : Prameya-News7 Bureau | September 11, 2024 IST

ନୂଆଦିଲ୍ଲୀ ୧୧।୯: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ମନିଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୨୯.୭୫ କଟି ଟଙ୍କାର ନୂଆ ସମ୍ପତ୍ତି ଆଟାଚ୍ କରିଛି।  ଏ ନେଇ ଇଡି ଏକ ବିବୃତ୍ତି ଜାରି କରିଥିବା ବେଳେ ସମ୍ପତ୍ତି ଆଟାଚ୍ କରିବା ପାଇଁ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ (ପିଏମଏଲଏ)ରେ ଏକ ଅସ୍ଥାୟୀ ଆଦେଶ ଜାରି କରାଯାଇଥିବା କହିଛନ୍ତି। ଏଥିରେ କୁହାଯାଇଛି ଯେ ଏହି ସବୁ ସମ୍ପତ୍ତି ବ୍ୟାଙ୍କ ଜମା, କୋଠାବାଡି ଓ ଜମି ଆକାରରେ ରହିଛି। 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ୨ ବିଲିୟନ ଡଲାର ଠକେଇ ମାମଲାର ୫ ବର୍ଷରୁ ଅଧିକ ସମୟ ହେଲା ଯାଞ୍ଚ କରୁଥିବା ଏଜେନ୍ସୀ ପୂର୍ବରୁ ନିରବ ମୋଦିଙ୍କ ଭାରତ ଓ ବିଦେଶରେ ଥିବା ୨,୫୯୬ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା। ନିରବ ମୋଦି (୫୩) ଏବେ ବ୍ରିଟେନ ଜେଲରେ ବନ୍ଦୀ ଥିବା ବେଳେ କଥିତ ବ୍ୟାଙ୍କ ଋଣ ଠକେଇକୁ ନେଇ ଭାରତ ପ୍ରତ୍ୟାର୍ପଣ ବିରୋଧରେ ତାଙ୍କ ଆବେଦନ ବ୍ରିଟେନ କୋର୍ଟରେ ଖାରଜ ହୋଇସାରିଛି। ଏହି ମାମଲାର ସିବିଆଇ ଯାଞ୍ଚ ମଧ୍ୟ ହେଉଛି। 

ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ଓ ତାଙ୍କ ମାମୁଁ ମେହୁଲ ଚୌକସୀ ତଥା ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରେଡି ହାଉସ୍ ଶାଖାରେ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଠକେଇ କରିବା ତଥା ନକଲୀ ଗ୍ୟାରେଣ୍ଟି ପତ୍ର ଜାରି କରିବାର ଅଭିଯୋଗ ରହିଛି। ଇଡି ଏହି ମାମଲାରେ ମନିଲଣ୍ଡରିଂର ଯାଞ୍ଚ କରୁଛନ୍ତି। ନିରବଙ୍କୁ ୨୦୧୯ ମସିହାରେ ମୁମ୍ବାଇ ପିଏମଏଲଏ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଥିଲା। ସେହି ବର୍ଷ ନିରବଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.