ଜଗନ୍ନାଥ ଜମି ବେଆଇନ ପ୍ଲଟିଂ ଓ ବିକ୍ରି ପ୍ରସଙ୍ଗ : ଦଖଲକାରୀଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Published By : Prameya-News7 Bureau | January 29, 2025 IST

ପୁରୀ ୧: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମି ବେଆଇନ ଭାବରେ ଜବରଦଖଲ କରି ପ୍ଲଟିଂ କରି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି l ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡା ଥାନାରେ ଏତଲା ଦାଖଲ କରାଯାଇଛି l ଏହି ଅଭିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରକୁ ଆସିବା ପରେ ସେ ଏନେଇ ପ୍ରାଥମିକ ତଦନ୍ତ କରିବାକୁ ଉନ୍ନୟନ ପ୍ରଶାସକ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣା ସମ୍ପର୍କରେ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । 

ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ବେଆଇନ ଭାବେ ହାତେଇବାକୁ ହେଉଥିବା କୌଣସି ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ l ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ପୂର୍ବରୁ   ମାଟିତୋଟା ଅଞ୍ଚଳରେ ହୋଇଥିବା ଏଭଳି ଜମି ଚଞ୍ଚକତା ଉଦ୍ୟମ ବିରୋଧରେ ବାସେଳିସାହି ଥାନାରେ ଏତଲା ହୋଇଥିବା ବେଳେ ପୁରୀ ପୋଲିସ ମଧ୍ୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି l

ତେଣୁ ପୁଣି ଥରେ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଉଅଛି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ l ଏହା ଦ୍ଵାରା ସଂପୃକ୍ତ ବ୍ୟକ୍ତି ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ l ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବା ଜରୁରୀ l ଜମିଜମା କ୍ରୟ ସମୟରେ ଆବଶ୍ୟକ ଅନୁଭବ କଲେ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଯାଞ୍ଚ ପାଇଁ ଯୋଗାଯୋଗ କରିପାରିବେ l ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ପାଇଁ ଆଗାମୀ ଦିନରେ ସମସ୍ତ ରେକର୍ଡର କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି l ସମସ୍ତ ଯାଞ୍ଚ ତଥା ଆବେଦନ ପ୍ରକ୍ରିୟା ଖୁବ୍ ଶୀଘ୍ର ଅନଲାଇନ୍ ହେବାକୁ ଯାଉଛି l ଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ରଖୁଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ଏଭଳି ଖଳ ପ୍ରକୃତି ଲୋକଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ।

ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଉକ୍ତ ଜମି ହେଉଛି ମହାପ୍ରଭୁଙ୍କର । ବେଆଇନ ଭାବେ ଏହାକୁ ଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ତଦନ୍ତ ଆରମ୍ଭ କଲା କୁମ୍ଭାରପଡ଼ା ଥାନା ପୋଲିସ । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଚାଲିଛି ତଦନ୍ତ । ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । 

You Can Read:

ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ୍ ପାର୍କ, ଇପିକଲ୍‌ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ୍ : ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.