ଚିତ୍ରକୋଣ୍ଡା ୦୯।୧୨ : ମହଙ୍ଗା ପଡିଲା ନିଜକୁ ମାଓବାଦୀ କହି ଲୋକଙ୍କୁ ପ୍ରଜାକୋର୍ଟରେ ଧମକ ଦେଇ ବଟି ଆଦାୟ କରିବା । ପୋଲିସ ହାତରେ ଧରାପଡିଲେ ପାଞ୍ଚ ଜଣ ନକଲି ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଚିତ୍ରକୋଣ୍ଡା ଥାନା ବଡପଦର ପଞ୍ଚାୟତର ନାୟବ ସରପଞ୍ଚ ଭକ୍ତରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ଜଗୁ ହନ୍ତାଳ ଏବଂ ଏମ୍.ନାରାୟଣ ନାମକ ବ୍ୟକ୍ତି ଦୁଇଜଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଠିକା କାମ କରୁଛନ୍ତି । ଏହି ଦୁଇଜଣଙ୍କ ଠିକା କାମ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ଦୁଇଜଣଙ୍କ କାମର ବିଲ୍ ଗୁଡିକ ଚିତ୍ରକୋଣ୍ଡା ବ୍ଲକରେ ପଡିରହିଛି । ତେବେ ହରିବନ୍ଧୁ ଗତନ ଏହି ଦୁଇଜଣଙ୍କୁ ଠିକା କାମ ସମ୍ବନ୍ଧୀୟ ଉପକରଣ ଯୋଗେଇଥିଲେ। ଉପକରଣ ନିମନ୍ତେ ବକେୟା ଟଙ୍କା ମାଗିବାରୁ ହରିବନ୍ଧୁ ଓ ଏହି ଦୁଇଜଣ ଠିକାଦାରଙ୍କ ମଧ୍ୟରେ ବିବାଦ ହୋଇଥିଲା।
ସେହିପରି ଅନ୍ୟ ଏକ ଘଟଣାରେ ବାଙ୍ଗୁରୂପଡା ଗାଁ ଲକିନାଥ ପାଙ୍ଗି ଓ ମନ ପାଙ୍ଗିଙ୍କ ମଧ୍ୟରେ ଏକ ଜାଗା ସମ୍ବନ୍ଧୀୟ ବିବାଦକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଦୁଇଟି ଘଟଣାକୁ କେନ୍ଦ୍ରକରି ମନ ପାଙ୍ଗି, ଜଗୁ ହନ୍ତାଳ ଓ ଏମ୍. ନାରାୟଣ ଏହି ତିନିଜଣ ମିଶି ଯୋଜନାବଦ୍ଧ କରି ମାଲକାନଗିରି ବ୍ଲକ ପଦ୍ମଗିରି ଗ୍ରାମର ବିନୋଦ ଜେନା ଓ ଉମାକାନ୍ତ ମାଧେମି ନାମକ ଦୁଇଜଣ ବ୍ୟକ୍ତିଙ୍କୁ ମାଓବାଦୀ ବୋଲି କହି ଅଭିଯୋଗକାରୀଙ୍କୁ ତାଙ୍କ ନିକଟକୁ ନେଇଥିଲେ। ମାଓବାଦୀ ବୋଲି ନିଜକୁ ପରିଚୟ ଦେଇ ଦୁଇଜଣ ଅଭିଯୋଗକାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତୁରନ୍ତ ଦୁଇଜଣ ଠିକାଦାରଙ୍କ ବିଲ୍ ଚିତ୍ରକୋଣ୍ଡା ବ୍ଲକରୁ ପାସ କରାଇବା ସହ ପ୍ରତ୍ୟେକ ବ୍ୟକ୍ତି ଜରିମାନା ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପୈଠ କର, ନଚେତ୍ ଦୁଇଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ। ଯାହାକୁ ଆଧାର କରି ଅଭିଯୋଗକାରୀ ଥାନାରେ ଏତଲା ଦେବାପରେ ଚିତ୍ରକୋଣ୍ଡା ଥାନା ପୋଲିସ ଏହାର ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଓ ୪୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଡିଏସପି ।