ନୂଆଦିଲ୍ଲୀ ୨୦।୦୨: ଚାମ୍ପିଅନ୍ସ ଟ୍ରଫିରେ ଭଲ ଆରମ୍ଭ କରିନି ପାକିସ୍ତାନ । ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ୬୦ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏବେ ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନର ଓପନର ଫଖର ଜମାନ ଟୁର୍ଣ୍ଣାମେଣ୍ଟରୁ ହୋଇଛନ୍ତି ବାହାର । ରିପୋର୍ଟ ଅନୁଯାୟୀ, ଫଖର ଜମାନ ଚାମ୍ପିଅନ୍ସ ଟ୍ରଫିର ବାକି ମ୍ୟାଚ୍ ଖେଳିପାରିବେନି ।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ପାକିସ୍ତାନୀ ଓପନର ଆହତ ହୋଇଥିଲେ । ଆଘାତ ପରେ ଫଖର ଜମାନ ଓପନିଂ କରିବାକୁ ଆସି ନଥିଲେ । ସେ ନମ୍ବର-୪ରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ରନ କରିବାକୁ ସଂଘର୍ଷ କରିଥିଲେ । ସେ ୪୧ ବଲ୍ରୁ ୨୪ ରନ୍ କରି ପାଭିଲିୟନ ଫେରିଥିଲେ ।
ବର୍ତ୍ତମାନ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫଖର ଜମାନଙ୍କ ବାଦ ପଡ଼ିବା ପାକିସ୍ତାନ ପାଇଁ ଏକ ବଡ଼ ଝଟକା । ପାକିସ୍ତାନର ଏ ସ୍ପୋର୍ଟ୍ସ ଅନୁଯାୟୀ, ଫଖର ଜମାନଙ୍କୁ ଟୁର୍ଣ୍ଣାମେଣ୍ଟର ଆଗାମୀ ମ୍ୟାଚ୍ଗୁଡ଼ିକରେ ଦେଖିବାକୁ ମିଳିବନି । ଏହାବ୍ୟତୀତ ସେ ପାକିସ୍ତାନୀ ଟିମ୍ ସହିତ ଦୁବାଇ ଯିବେନି ।
ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ରହିଛି । ୨୩ ଫେବୃଆରୀରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ଦୁବାଇରେ ମୁହାଁମୁହିଁ ହେବେ । ଏହାପରେ ପାକିସ୍ତାନ ବାଂଲାଦେଶ ବିପକ୍ଷରେ ତାର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ୨୭ ଫେବୃଆରୀରେ ଖେଳାଯିବ ।
ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାର ଆଶଙ୍କା ଘନେଇଛି । ଏବେ ଭାରତ ବିପକ୍ଷ ମ୍ୟାଚ୍ରେ କର ବା ମର ସ୍ଥିତିର ସମ୍ମୁଖୀନ ହେଉଛି ପାକିସ୍ତାନ ଟିମ୍ । ତେବେ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଟିମ୍ ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ଆଶା ଉଜ୍ଜୀବିତ ରଖିବାକୁ ଚାହିଁବ।