FIH ପ୍ରୋ-ଲିଗ୍; କମ୍ପୁଛି କଳିଙ୍ଗ ଷ୍ଟାଡିୟମ, ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଟିମ୍ ବିଜୟୀ

Published By : Prameya-News7 Bureau | February 16, 2025 IST

ଭୁବନେଶ୍ୱର୧୬/୦୨: କଳିଙ୍ଗ ଷ୍ଟାଡିୟମରେ ହକି ପର୍ବ । ଶନିବାର ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ୩ଟି ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତର ମହିଳା ହକି ଟିମ୍ ୩-୨ରେ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଛି । ସେହିପରି ସ୍ପେନ୍‌ ଟିମ୍ ୨-୧ରେ ଜର୍ମାନୀକୁ ପରାଜିତ କରିଥିଲା । ମାତ୍ର ଭାରତୀୟ ପୁରୁଷ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି । ପ୍ରଥମ ମ୍ୟାଚ୍‌ରେ ୧-୩ ଗୋଲ୍‌ରେ ସ୍ପେନ ନିକଟରୁ ହାରିଛି । 

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ସିଜନର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ୩-୨ ଗୋଲ୍‌ରେ  ଇଂଲଣ୍ଡକୁ ପରାସ୍ତ କରିଥିଲା । ୫୯ମିନିଟ୍‌ରେ  ନବନୀତ କୌର ଗୋଟିଏ ଦର୍ଶନୀୟ ଗୋଲ୍‌  କରି ଦଳକୁ ଜିତାଇଥିଲେ । ଏହି ମ୍ୟାଚ୍‌ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅତିଥି ଭାବେ ଯୋଗଦେଇ ଭାରତୀୟ ଦଳର ସୁନେଲିତା ଟପ୍ପୋଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଟ୍ରଫି ପ୍ରଦାନ   କରିଥିଲେ । 

ଭାରତ ୧-୩ ସ୍ପେନ୍‌ 

ଭାରତୀୟ ପୁରୁଷ ଦଳ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ।  ପ୍ରଥମ ମ୍ୟାଚ୍‌ରେ ଦଳ ୧-୩  ଗୋଲ୍‌ରେ ସ୍ପେନ୍‌ ନିକଟରୁ ହାରି ଯାଇଥିଲା । ଭାରତୀୟ ମହିଳା ଦଳ ବିଜୟ ହାସଲ କରିବା ପରେ ପୁରୁଷ ଦଳର   ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା ।   ସ୍ପେନ୍‌ ବିପକ୍ଷରେ ପୁରୁଷ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରର ତୃତୀୟ ମିନିଟ୍‌ରେ ଭାରତ ପ୍ରଥମ ପେନାଲ୍ଟି ପାଇଥିଲା । ମାତ୍ର ଏହା ବିଫଳ ଯାଇଥିଲା । ଏହି ଭାଗରେ  ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ  ପାରିନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତ  ଖାତା ଖୋଲିଥିଲା । ୨୫ମିନିଟ୍‌ରେ ସୁଖଜୀତ  ସିଂହଙ୍କ ଗୋଲ୍‌ ବଳରେ ଦଳ ୧-୦ରେ ଅଗ୍ରଣୀ  ହାସଲ କରିଥିଲା । ଏହାର ୩ମିନିଟ୍‌ ମଧ୍ୟରେ ସ୍ପେନର ବ୍ରୋଜା ଲାକାଲି ଗୋଲ୍‌ ପରିଶୋଧ କରି ଦେଇଥିଲେ । ସ୍ଥିତି ୧-୧ରେ  ବରାବର ରହିଥିଲା । ମାତ୍ର ପରବର୍ତ୍ତୀ ମିନିଟ୍‌ରେ ସ୍ପେନ୍‌ ଦ୍ବିତୀୟ ଗୋଲ୍ ଏବଂ ୫୬ମିନିଟ୍‌ରେ ଦଳକୁ ପେନାଲ୍ଟି ଗୋଲ୍ ମିଳିବାରୁ ସ୍ପେନ ୩-୧ରେ ଆଗେଇ ଥିଲା । ଭାରତ ଏକାଧିକ ପେନାଲ୍ଟି  ସୁଯୋଗ ହାତଛଡ଼ା କରି ପରାଜିତ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.