କଟକ: ଚଳନ୍ତା ‘ମୋ ବସ୍’ରେ ଲାଗିଲା ନିଆଁ। ଫସି ରହିଲେ ଯାତ୍ରୀ। ବାହାରିବାକୁ ବାଟ ନପାଇବାରୁ ଝରକା ଭାଙ୍ଗି ବାହାରିଲେ ଯାତ୍ରୀ। ଶନିବାର ଅପରାହ୍ନରେ ଜଗତପୁର ଠାରେ ‘ମୋ ବସ୍’ ଯାତ୍ରୀଙ୍କ ସହ ଘଟିଥିଲା ଏଭଳି ଏକ ଭୟଙ୍କର ଘଟଣା।
ସୂଚନା ଅନୁଯାୟୀ, ‘ମୋ ବସ୍’ ନଂ ଓଡି-୩୩ ୟୁ ୬୫୨୪ ଚୌଦ୍ୱାର ଥାନା ଅଧୀନ ଆଗ୍ରାହାଟରୁ ବାହାରି ଚୁଡ଼ାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ହେଲେ ଜଗତପୁର ଥାନା ଅଧୀନ ବ୍ୟାରେଜ ନିକଟରେ ହଠାତ୍ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆଉ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।
ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଥିଲେ। ପରେ ଡ୍ରାଇଭର ଗାଡ଼ିକୁ ରାସ୍ତା ପାର୍ଶ୍ଵରେ ଅଟକାଇଥିଲେ। ହେଲେ ସେତେବେଳକୁ ‘ବସ୍’ରେ ଧୂଆଁ ବଢ଼ିଯାଇଥିଲା। ଏମିତିକି ବସ୍ର ଗେଟ୍ ମଧ୍ୟ ଲକ୍ ହୋଇଯାଇଥିଲା। ଫଳର ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଇ ପଡ଼ିଥିଲେ। ଆଉ ଅନ୍ୟ କୌଣସି ବାଟ ନପାଇ ଜୀବନ ବଞ୍ଚାଇବା ପାଇଁ ସବୁ ଯାତ୍ରୀ ଝରକା ବାଟେ ସୁରକ୍ଷିତ ବାହାରି ଆସିଥିଲେ। ଫଳରେ କୌଣସି ଅଘଟଣ ହେବା ଆଗରୁ ବର୍ତ୍ତିଯାଇଛନ୍ତି ଅନେକ ଯାତ୍ରୀ।