ତ୍ରୁଟିପୂର୍ଣ୍ଣ ଆଡମିଟ୍‌ କାର୍ଡକୁ ନେଇ ହଟାହଟା ହେଲେ ଦଶମ ପରୀକ୍ଷାର୍ଥୀ, ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ଆଣିଲେ ଅଭିଭାବକ

Published By : Prameya-News7 Bureau | February 22, 2025 IST

ସାଲେପୁର: ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷାରେ ପରୀକ୍ଷା ମଧ୍ୟ ଦେଇସାରିଛନ୍ତି। ହେଲେ ସାଲେପୁରର ଜଣେ ଛାତ୍ରୀଙ୍କୁ କିନ୍ତୁ ପ୍ରଥମ ଦିନର ପରୀକ୍ଷା ଦେବା ସମୟରେ ଅସୁବିଧାର ସାମ୍‌ନା କରିବାକୁ ପଡ଼ିଛି। କାରଣ ତାଙ୍କ ଆଡମିଟ୍‌ କାର୍ଡରେ ତ୍ରୁଟିଥିବା କହି ପରୀକ୍ଷା ଦେବାକୁ ବାରଣ କରାଯାଇଛି। ଯାହାକୁ ନେଇ ଛାତ୍ରୀ ଜଣ ଏବେ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି। 

ସୂଚନା ଅନୁଯାୟୀ, ସ୍ଥାନୀୟ ଏକାମ୍ର ରସୁଲ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ସ୍ୱୟଂପ୍ରଭା ନାୟକ, ବଣହରା ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଯାଞ୍ଚ ସମୟରେ ସ୍ୱୟଂ ପ୍ରଭା ନାୟକ ସ୍ଥାନରେ ସ୍ୱୟଂ ପ୍ରଭା ସାହୁ ଦସ୍ତଖତ ହୋଇଥିବା ଏବଂ କାର୍ଡରେ ନାଁ  ମଧ୍ୟ ଭୁଲ ରହିଥିବା କୁହାଯାଇଥିଲା। ପରୀକ୍ଷା ଦାୟିତ୍ଵରେ ଥିବା ଶିକ୍ଷକ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଅବଶ୍ୟ କିଛି ସମୟ ପରେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା। ହେଲେ ଦ୍ୱିତୀୟ ଦିନ ପରୀକ୍ଷା ବେଳକୁ ନାଁ ଠିକ୍‌ କରି ଆଣିଲେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା। 

ସେପଟେ ଏଭଳି ଘଟଣାକୁ ନେଇ ଛାତ୍ରୀ ଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବାବେଳେ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ। ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ସେମାନେ ପୂର୍ବରୁ ଏ ବାବଦରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ହେଲେ ସ୍କୁଲ କର୍ତ୍ତୃପକ୍ଷ ଏକଥାକୁ ଦୃଷ୍ଟି ଦେଇନଥିଲେ ବରଂ ହେୟ ଜ୍ଞାନ କରିଥିଲେ। 

ଏମିତିକି କିଛି ଅସୁବିଧା ହେବନାହିଁ, ପରୀକ୍ଷା ଦେବା ସହ ତ୍ରୁଟି ଠିକ କରାଯିବ ବୋଲି ଦାୟିତ୍ବହୀନ ପ୍ରତିକ୍ରିୟା ଦେଇଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ଆଉ ଶିକ୍ଷକଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟକୁ  ଛାତ୍ରୀର ଭବିଷ୍ୟତକୁ ନେଇ ଅବିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ  ଆଡମିଟ୍‌ କାର୍ଡ ଯୋଗୁ ଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଶ୍ନ ଉଠାଇ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.