ଭୁବନେଶ୍ଵର: ଶେଷ ପର୍ଯ୍ୟାୟରେ ବିଶ୍ଵ ପ୍ରସିଦ୍ଧ ପ୍ରୟାଗରାଜ ମହାକୁମ୍ଭ। ଏ ପର୍ଯ୍ୟନ୍ତ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଲେଣି ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ ଅନେକ ମନ୍ତ୍ରୀ ଓ ଭିଭିଆଇପି ମହାକୁମ୍ଭରେ ବୁଡ଼ ପକାଇ ସାରିଲେଣି। ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାକୁମ୍ଭରେ ବୁଡ଼ ପକାଇବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାରଠୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତ କରିବେ। ଏହି ଗସ୍ତରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏହା ପରେ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ। ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବୁଡ ପକାଇ ସାରିଛନ୍ତି। ୧୪୪ ବର୍ଷକୁ ଥରେ ପଡ଼ୁଥିବା ଏହି ଭବ୍ୟ କୁମ୍ଭମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନେକ କ୍ୟାବିନେଟ୍ ମନ୍ତ୍ରୀ ବୁଡ଼ ପକାଇ ସାରିଛନ୍ତି।
Also read: ‘କିଟ୍’ ଘଟଣା; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୪ରେ ବୈତରଣୀରେ ମକର ବୁଡ଼ ପକାଇଥିଲେ ମୋହନ ମାଝୀ।। ସେ କେନ୍ଦୁଝର ଜିଲ୍ଲା ପାଟଣାରେ ଥିବା ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ। ବୁଡ଼ ପକାଇବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପରମେଶ୍ବର ମନ୍ଦିର ଓ ଆନନ୍ଦେଶ୍ବେର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।