ଭୁବନେଶ୍ବର: ‘କିଟ୍’ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଏବଂ ଏହା ପରେ ନେପାଳ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷର ନିର୍ଯାତନା ଘଟଣା ସବୁଠି ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସବୁ ମହଲରେ ‘କିଟ୍’କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ନେପାଳରେ ମଧ୍ୟ ଘଟଣାକୁ ନିନ୍ଦା କରାଯାଉଥିବାବେଳେ, ଖୋଦ୍ ନେପାଳ ପ୍ରଧାନମନ୍ତ୍ରୀ ଏହି ଘଟଣା ଉପରେ ନଜର ରଖିଛନ୍ତି।
ସେପଟେ ଘଟଣାର ଗୁରୁତ୍ବକୁ ଦେଖି, ରାଜ୍ୟ ସରକାର ଗଠନକ କରିଥିବା ସ୍ବତନ୍ତ୍ର ଫ୍ୟାକ୍ଟ୍ର ଫାଇଣ୍ଡିଂ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛ। ଶୁକ୍ରବାର ଟିମ୍ ‘କିଟ୍’ର କିଛି ଅଧିକାରୀ ଏମିତିକି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଅଢ଼େଇ ଘଣ୍ଟା ପଚରାଉଚରା କରିଥିଲା।
ଆଉ ଏବେ ଏହି ଘଟଣାକୁ ନେଇ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଓବାଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନେପାଳ ବୈଦେଶିକ ମନ୍ତ୍ରୀଙ୍କୁ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ପିଲାଙ୍କ ଭରସା ଫେରାଇ ଆଣିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନେପାଳର ପିଲା ହେଉଛନ୍ତି ଆମ ପିଲା। ସଂପୂର୍ଣ୍ଣ ସମ୍ମାନର ସହ ପିଲାମାନେ ଏଠାରେ ପଢ଼ିବେ।’’