ମାର୍କେଟ୍ ବିଲ୍ଡିଂ ଏବଂ ୧ ନମ୍ବର ହାଟ ମଝିରେ ଥିବା ଭୂତଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ଗୋଟିଏ ଶାଢ଼ି ଦୋକାନ

Published By : Prameya-News7 Bureau | November 01, 2024 IST

ଭୁବନେଶ୍ବର ୧।୧୧: ସବ୍ ୱେ ଏସି ମାର୍କେଟରେ ଅଗ୍ନିକାଣ୍ଡ । ଶାଢୀ ଦୋକାନରେ ଅଗ୍ନିକାଣ୍ଡ । ରାତି ସାଢ଼େ ୧୧ଟାରୁ ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ଜଳିଲା । ରାତି ତମାମ ଭୂତଳ ବଜାରରୁ ବାହାରିଲା ଧୂଆଁ । ନିଆଁ ଓ ଧୂଆଁର ବଳୟରେ ରହିଲା ରାଜମହଲରୁ ଏଜି ଛକ ରାସ୍ତା । ନିଆଁ ଲିଭାଇବା ପାଇଁ କଳ୍ପନା ଏବଂ ସେକ୍ରେଟାରିଏଟ୍ ଅଗ୍ନିଶମ ବାହିନୀ ସହ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେଲେ । ପାଖରେ ମାର୍କେଟ୍ ବିଲ୍ଡିଂ, ହାଟ ଏବଂ ପେଟ୍ରୋଲ ପମ୍ପ ଥିବା ଯୋଗୁ ଲୋକଙ୍କ ନିରାପତ୍ତା ପାଇଁ ରାତି ତମାମ ଜଗିଲେ କ୍ୟାପିଟାଲ ଥାନାର ଅଧିକାରୀ ଓ କର୍ମଚାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ।

୨ ନମ୍ବର ମାର୍କେଟ ବିଲ୍ଡିଂ ଏବଂ ୧ ନମ୍ବର ହାଟ ମଧ୍ୟରେ ଥିବା ଭୂତଳ ବଜାରର ଗୋଟିଏ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ଏହାକୁ ସର୍ଟ ସର୍କିଟ୍ କହିଥିବା ବେଳେ ଆଉ କେହି ଧୂପ ଏବଂ ଦୀପ ଲଗାଇ ଦୋକାନ ବନ୍ଦ କରିଥିବାରୁ ଏପରି ଅଘଟଣ ଘଟିଛି ବୋଲି କହିଛନ୍ତି । ତେବେ ଘଟଣାରେ ବଜାର ଭିତରେ ଥିବା ଶାଢୀ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । ଛୋଟ ଦୋକାନରେ ସିଲିଂ ସହ ଏକ ମହଲା ବିଶିଷ୍ଟ ଷ୍ଟୋର କରିଥିଲେ ବ୍ୟବସାୟୀ । ତେଣୁ ନିଆଁ ନଲିଭିବା ଖବର ପାଇ କଳ୍ପନା ଏବଂ ସେକ୍ରେଟାରିଏଟ୍ ଅଗ୍ନିଶମ ବାହିନୀ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ନିଜେ ଡିଏଫ୍‌ଓ ଏବଂ ଏଏଫ୍ଓ ସହ ୩୦ଜଣ ଅଗ୍ନିଶମ କର୍ମଚାରୀ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଓ ଧୂଆଁ ଉପରେ ନିୟନ୍ତ୍ରଣ ପାଇଥିଲେ । ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଏପରି ଘଟଣା କେମିତି ଘଟିଲା ତାର ଯାଞ୍ଚ କରିବ ଅଗ୍ନିଶମ ବିଭାଗ । ଏ ନେଇ ଡିଏଫଓ ସୂଚନା ଦେଇଛନ୍ତି । 

You Can Read:

ଜନ୍ମମାଟିରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ଗାଁ ଲୋକଙ୍କ ସହ ମିଶି ବାଣ୍ଟିଲେ ଖୁସି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.