ନୂଆଦିଲ୍ଲୀ ୨୬।୧: ସୁନା ମୂଲ୍ୟବୃଦ୍ଧି ଜାରି ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ମାତ୍ର ସପ୍ତାହକରେ ସୁନା ଦର ୭୯,୨୩୯ ଟଙ୍କାରୁ ବଢି ୮୦,୩୪୮ ଟଙ୍କା ହୋଇଯାଇଛି। ୨୦୨୪ ମସିହାରେ ସୁନା ୨୦ ପ୍ରତିଶତ ଓ ରୂପା ୧୭ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଏଣୁ ସୁନା ଦର ବୃଦ୍ଧି ଜାରି ରହିଛି। କେବଳ ଜାନୁୟାରୀ ମାସର କଥା କହିଲେ ୧ଜାନୁୟାରୀରୁ ୨୫ ଜାନୁୟାରୀ ୨୦୨୫ ସୁଦ୍ଧା ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ୭୮ ହଜାରରୁ ବଢି ୮୨,୨୫୦ ଟଙ୍କାକୁ ପହଞ୍ଚି ଯାଇଛି।
ଅର୍ଥାତ ୨୪ ଦିନରେ ସୁନା ୧୦ଗ୍ରାମ ପିଛା ଦରରେ ୪,୨୫୦ ଟଙ୍କା ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ସୁନା ଦର ଏବେ ଆହୁରି ବଢିବ। ଜୁନ ୨୦୨୫ ସୁଦ୍ଧା ୧୦ ଗ୍ରାମ ପିଛା ସୁନା ଦର ୮୫ ହଜାର ଟଙ୍କାକୁ ପହଞ୍ଚିବ। ଏଥିରେ ଆଗାମୀ ଡିସେମ୍ବର ମାସ ବେଳକୁ ସୁନା ଦର ୯୦ ହଜାର ଟଙ୍କାକୁ ପାର କରିଯାଇ ପାରେ। ତେବେ ମନରେ ପ୍ରଶ୍ନ ଉଠୁଥାଇ ପାରେ ଯେ ସୁନା ଏତେ ମହଙ୍ଗା ହେଉଛି କାହିଁକି? ତେବେ ଆସନ୍ତୁ ଜାଣିବା କାରଣ।
କେବଳ ଗ୍ରାହକଙ୍କ ନୁହନ୍ତି ବଡ଼ ବଡ଼ ଦେଶ ମଧ୍ୟ ନିଜ ସ୍ୱର୍ଣ୍ଣ ଭଣ୍ଡାର ବଢାଇବାକୁ ସୁନା କିଣନ୍ତି। ଯେଉଁ ଦେଶର ସ୍ୱର୍ଣ୍ଣ ଭଣ୍ଡାର ଯେତେବଡ ସେହି ଦେଶ ସେତେ ସ୍ୱଚ୍ଛଳ ଓ ଶକ୍ତିଶାଳୀ। ଗତ କିଛି ମାସ ହେଲା ଚୀନ ସମେତ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବାରେ ଲାଗିଛନ୍ତି। ଯେଉଁଥି ପାଇଁ ସୁନା ଚାହିଦା ବଢୁଥିବା ବେଳେ ବଜାରରେ ଦର ମଧ୍ୟ ବଢିବାରେ ଲାଗିଛି। ତେବେ ଭାରତରେ ସୁନା ମହଙ୍ଗା ହେବାର ଏକ କାରଣ ହେଉଛି ଡଲାରର ମୂଲ୍ୟ ବୃଦ୍ଧି।
ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ସେ ଟ୍ରେଡ ଟାରିଫ ବଢେଇବାକୁ ମଧ୍ୟ ଧମକ ଦେଇଛନ୍ତି। ତେବେ ଡଲାର ଉପରେ ଏବେ ଚାପ ଦେଖାଦେଇଛି। ଏଣୁ ସୁନା ଦର ପୁଣି ବଢିବା ଆରମ୍ଭ ହୋଇଛି। ଆମେରିକା ଡଲାର ଦୁର୍ବଳ ହେବା ଯୋଗୁ ସୁନା ଦର ଏପରି ବଢିଛି। ତେବେ ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଧମକ ଯୋଗୁ ବିଶ୍ୱରେ ମୂଲ୍ୟବୃଦ୍ଧିର ଆଶଙ୍କା କରାଗଲାଣି। ଆର୍ଥିକ ଅନିଶ୍ଚିତତା ଓ ସେୟାର ବଜାର ଉପରେ ଚାପ, ମୁଦ୍ରାସ୍ପିତି ଚିନ୍ତା ଭଳି କାରଣ ଯୋଗୁ ସୁନା ଦର ବଢିବାକୁ ଲାଗେ। କାରଣ ନିବେଶକ ସୁନା ଆଡକୁ ମୁହାନ୍ତି।