ନୂଆଦିଲ୍ଲୀ ୨୬।୧: ଗହମ ଦର ଏବେ ଆକାଶଛୁଆଁ। ପରିସ୍ଥିତି ଏପରି ହୋଇଛି ଯେ ଗହମ ଦର ବୃଦ୍ଧି କାରଣରୁ ରୁଟି ମହଙ୍ଗା ହୋଇଯାଇଛି। କେବଳ ରୁଟି ନୁହେଁ ସବୁ ଗହମ ଉତ୍ପାଦ ଦର ମଧ୍ୟ ବଢିଯାଇଛି। ଫଳରେ ଲୋକଙ୍କ ଘରର ବଜେଟ୍ ବିଗିଡି ଗଲାଣି। ଏହି ଦରବୃଦ୍ଧି ନିକଟ ଭବିଷ୍ୟତରେ ହ୍ରାସ ହେବାର ଦେଖାଯାଉ ନାହିଁ। ତେବେ କେନ୍ଦ୍ର ସରକାର ଗହମ ଏମଏସପି ବୃଦ୍ଧି କରିବା ପରେ ଗହମ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଣୁ ରବି ଋତୁରେ ଚାଷୀ ଅଧିକରୁ ଅଧିକ ଗହମ ଫସଲ କରିଛନ୍ତି। ରବି ଅମଳ ଆସିବା ପରେ ଦର କମିବ ବୋଲି ଆଶା କରାଯାଉଛି।
ଏବେ ଦେଶର ଅଧିକାଂଶ ରାଜ୍ୟରେ ଗହମ ଏମଏସପିରୁ ବହୁତ ଉଚ୍ଚ ଦରରେ ବିକ୍ରି ହେଉଥିବା ଦେଖାଯାଉଛି। ଦର ନିୟନ୍ତ୍ରଣ ପାଇଁ ସରକାର ମଧ୍ୟ ଉଦ୍ୟମ କରୁଛନ୍ତି। ହେଲେ କୌଣସି ରାସ୍ତାରେ ଏବେ ଗହମ ଦର ନିୟନ୍ତ୍ରଣ ହୋଇ ପାରୁ ନାହିଁ। ଏଣୁ ଆଶା କରାଯାଉଛି ସରକାର ତାଙ୍କ ଷ୍ଟୋରେଜରୁ ଗହମ ଖୋଲାବଜାରକୁ ଛାଡି ଦର ନିୟନ୍ତ୍ରଣ କରିପାରନ୍ତି। ସରକାରୀ ଗହମ ବଜାରକୁ ପ୍ରବେଶ କଲେ ଦରରେ କିଛି ସୁଧାର ଆସି ପାରିବ ବୋଲି ଅନୁମାନ କରାଯାଉଛି।
ଏବେ ବଜାରରେ ଗହମ ଦର ପ୍ରତି କ୍ୱିଣ୍ଟଲ ୩,୧୦୫ ଟଙ୍କାରେ କାରବାର ହେଉଛି। ଯାହା ଗତବର୍ଷ ତୁଳନାରେ ଢେର ଅଧିକ। ଗତବର୍ଷ ଗହମର ସର୍ବାଧିକ ଦର ପ୍ରତି କ୍ୱିଣ୍ଟଲ ୨,୫୪୦ ଟଙ୍କାରେ ବିକ୍ରି ହେଉଥିଲା। କେବଳ ଏହି ସପ୍ତାହରେ ଗହମ କ୍ୱିଣ୍ଟଲ ପିଛା ଦର ୧୦୦ ଟଙ୍କା ବଢିଛି। ଏବେ ଦେଶରେ ଗହମ ଏମଏସପି ପ୍ରତି କ୍ୱିଣ୍ଟଲ ୨,୨୭୫ ଟଙ୍କା ରହିଛି। ତେବେ ବଜାରରେ ଗହମ କ୍ୱିଣ୍ଟଲ ପିଛା ୯୦୦ ଟଙ୍କା ଅଧିକ ଦରରେ କାରବାର ହେଉଛି।
ଚାଷୀମାନେ ରବି ଋତୁରେ ଅଧିକ ଗହମ ଚାଷ କରିଥାନ୍ତି। ୨୦୨୪-୨୫ରେ ଚାଷୀ ଅଧିକ ଜମିରେ ଗହମ ଫସଲ କରିଛନ୍ତି। ସରକାର ଗହମର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ପ୍ରତି କ୍ୱିଣ୍ଟଲ ୨,୨୭୫ ଟଙ୍କା ଘୋଷଣା କରିଛନ୍ତି। ଏହା ଚାଷୀଙ୍କୁ ଉତ୍ସାହିତ କରିଥିବା ବେଳେ ଅଧିକ ଜମିରେ ଗହମ ଫସଲ କରିଛନ୍ତି। ଫଳରେ ଗହମ ରକବା ବଢିଯାଇଛି। ଦେଶର ପାଖାପାଖି ୩୨୦ ଲକ୍ଷ ହେକ୍ଟର ଜମିରେ ରବି ଗହମ ଚାଷ ହୋଇଛି, ଯାହା ସାଧାରଣ ଗହମ ଚାଷ ଠାରୁ ୯ଲକ୍ଷ ହେକ୍ଟର ଅଧିକ।
ଅଧିକ ଜମିରେ ଗହମ ଚାଷ ହୋଇଥିବାରୁ ଗହମ ଉତ୍ପାଦନରେ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଗହମର ଏପରି ମୂଲ୍ୟ ବୃଦ୍ଧିର କାରଣ ଅଫସ ସିଜିନ। ଏହି ସମୟରେ କାହା ପାଖରେ ହେଲେ ଗହମ ନଥାଏ। ଯେଉଁମାନଙ୍କ ପାଖରେ ବଳକା ଷ୍ଟକ୍ ବି ଅଛି ସେମାନେ ଆଗାମୀ ଅମଳ ପର୍ଯ୍ୟନ୍ତ ହାତଛଡା କରିବାକୁ ଚାହାନ୍ତିନି। ଏଣୁ ଦର ଆହୁରି ବି ବଢିପାରେ ବୋଲି ଆଶଙ୍କା କରାଯାଉଛି। ରବି ଅମଳ ଆସିଲେ ଗହମ ଦର କମିବ ବୋଲି ଆଶା କରାଯାଉଛି।