ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ବଡ଼ ଯୋଜନା। ଭାରତରେ ତିଆରି କରିବେ ଦୁନିଆର ସବଠୁ ବଡ଼ ଡାଟା ସେଣ୍ଟର।ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ଗୁଜରାଟର ଜାମନଗରରେ ତିଆରି କରାଯିବ। ଆଉ ଏହି ଡାଟା ସେଣ୍ଟର ପ୍ରତିଷ୍ଠା ସହ ରିଲାଏନ୍ସ ଏଆଇ ସେକ୍ଟରରେ ଏଣ୍ଟ୍ରି କରିବ। ରିପୋର୍ଟ ଅନୁଯାୟୀ ଅମ୍ବାନୀ ଏଆଇ ଟେକ୍ନୋଲୋଜିରେ ଦୁନିଆର ଅଗ୍ରଣୀ କମ୍ପାନି Nvidia ଠାରୁ ସେମିକଣ୍ଟକ୍ଟର କିଣିବ।
ଏହା ଉପରେ କାମ ଗତ ବର୍ଷରୁ ହିଁ ଆରମ୍ଭ ହୋଇସାରିଛି। ଅକ୍ଟୋବରରେ ଏନଭିଡିଆ ଏଆଇ ସମିଟରେ ରିଲାଏନ୍ସ ଏବଂ ଏନଭିଡିଆ ମଧ୍ୟରେ ଚୁକ୍ତି ହୋଇଥିଲା। ଯାହା ଅନୁଯାୟୀ, ଦୁଇ କମ୍ପାନି ଭାରତରେ ଏଆଇ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ମିଶି କାମ କରିବେ। ସେତେବେଳେ ଏନଭିଡିଆ କହିଥିଲା ଯେ, ରିଲାଏନ୍ସ ଦ୍ବାରା ତିଆରି କରାଯାଉଥିବା ଗିଗାଓ୍ବାଟ ଡାଟା ସେଣ୍ଟର ପାଇଁ ବ୍ଲାକବେଲ୍ ଏଆଇ ପ୍ରୋସେସର ଯୋଗାଇବ। ଏନଭିଡିଆ ସିଇଓ ଜେନସେନ ହୁଆଙ୍ଗ ମଧ୍ୟ କହିଥିଲେ ଭାରତକୁ ନିଜର ଏଆଇ ତିଆରି କରିବା ଦରକାର। ଭାରତକୁ ଇଣ୍ଟେଲିଜେନ୍ସ ଆମଦାନୀ କରିବା ପାଇଁ ଡାଟା ରପ୍ତାନୀ କରିବା ଦରକାର ନାହିଁ।
ଏସମୟରେ ଅମ୍ବାନୀ କହିଥିଲେ ‘‘ଆମେ ପ୍ରକୃତରେ ସବୁ ଲୋକଙ୍କ ପାଇଁ ସମୃଦ୍ଧି ଏବଂ ଦୁନିଆରେ ସମାନତା ଆଣିବା ପାଇଁ ଇଣ୍ଟେଲିଜେନ୍ସର ବ୍ୟବହାର କରିପାରିବା। ଆମେରିକା ଏବଂ ଚୀନ ବ୍ୟତୀତ ଭାରତରେ ସବୁଠୁ ଭଲ ଡିଜିଟାଲ ଭିତ୍ତିଭୂମି ରହିଛି।
ସୂଚନାଥାଉକି, ଆଦାନୀ ଗ୍ରୁପ୍ ମଧ୍ୟ ପୂର୍ବରୁ ହିଁ ଏହି କ୍ଷେତ୍ରରେ ପ୍ରବେଶ କରିସାରିଛି। ଆଦାନୀ ଏଣ୍ଟରପ୍ରାଇଜ ଆମେରିକାର କମ୍ପାନି EdgeConnex ସହଭାଗିତାରେ ଏହି ସେକ୍ଟରରେ ପାଦ ଥାପିଛି। ଏହାର ନାଁ ‘ଆଦାନୀକନେକ୍ସ’ ଥିବାବେଳେ, ଭାରତରେ ହାଇପରସ୍କେଲ ଡାଟା ସେଣ୍ଟରର ନେଟଓ୍ବର୍କ ତିଆରି କରିବାକୁ ଯୋଜନା ରଖିଛି। ଏନଭିଡିଆ ଟାଟା ଗ୍ରୁପ୍ ସହ ମଧ୍ୟ ଏଭଳି ପାର୍ଟନରସିପ୍ କରିଛି।
ସେପଟେ ଭାରତ ସରକାର ମଧ୍ୟ ଷ୍ଟାର୍ଟଅପ୍, ଏଆଇ ପ୍ରୋଜେକ୍ଟସ ଏବଂ ଏଲଏଲଏମ ପାଇଁ ୧୦ ହଜାର କୋଟି ଟଙ୍କାରୁ ଅଧିକର ନିବେଶ ପ୍ରତିଶ୍ରୁତି ଦେଇଛନ୍ତି। ଅବଶ୍ୟ ଏଥିରେ ଅନେକ ଆହ୍ବାନ ରହିଛି। ଭାରତରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ଏହାକୁ ସାକାର କରିବାକୁ ଅଧିକ ସମୟ ଲାଗିପାରେ। ଆଉ ପରିଚାଳନା କରିବାରେ ମଧ୍ୟ ଦକ୍ଷ କର୍ମଚାରୀଙ୍କ ଆବଶ୍ୟକତା ରହିଥାଏ। ଭାରତ ଏବେ ଏହି ପ୍ରକ୍ରିୟାକୁ ବିକଶିତ କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ଘରୋଇ ସ୍ତରରେ ପ୍ରଥମ ଥର ସେମିକଣ୍ଡକ୍ଟର ଉତ୍ପାଦନ ହୋଇନାହିଁ।