ଗ୍ରାମବାସୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ, ନୟାଗଡ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 16, 2024 IST

ନୟାଗଡ ୧୬।୧୦: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଜିଗିନିପଡାରେ ଗ୍ରାମବାସୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ମାସେ ଧରି ପୀଡିତ ପରିବାରକୁ ଏକଘରିକିଆ କରାଯାଇଥିଲା । ପରେ ଗାଁରୁ ବାହାରିଯିବା ପାଇଁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗାଁର ଗଙ୍ଗାଧର ମହାପାତ୍ରଙ୍କ ପରିବାର ୬୦ ବର୍ଷରୁ ଅଧିକ ସମୟ ହେଲା ଗାଁରେ ଥିବା ରାମେଶ୍ବର ମହାଦେବଙ୍କ ମନ୍ଦିରରେ ପୂଜା କରିଆସୁଛନ୍ତି । ଏଥିପାଇଁ ଠାକୁରଙ୍କ ସମ୍ପତ୍ତିକୁ ପରିବାର ସଦସ୍ୟ ଉପଭୋଗ କରୁଛନ୍ତି । ଗତ ପଞ୍ଚାୟତ ନିର୍ବ।ଚନରେ ଗଙ୍ଗାଧରଙ୍କ ବୋହୂ ପିଙ୍କି ମହାପାତ୍ର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ପରେ ଗାଁରେ ବିବାଦ ଆରମ୍ଭ ହୋଇଥିଲା । ଗ୍ରାମବାସୀ ବୈଠକ କରି ଠାକୁରଙ୍କ ସେବାରୁ ଗଙ୍ଗାଧରଙ୍କ ପରିବାରକୁ ବଞ୍ଚିତ କରିବା ସହ ଗାଁରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଥିରେ ଗଙ୍ଗାଧର ରାଜି ନହେବାରୁ ଗାଁ ସଭାପତି ତାଙ୍କ ପରିବାରକୁ ଗତ ମାସେ ହେଲା ଗାଁରେ ଏକଘରିକିଆ କରିଥିଲେ । ଗାଁରେ ପାଣି, ଦୋକାନବଜାର ଆଦି ତାଙ୍କୁ ବାରଣ କରାଯିବା ସହ ଗାଁର କେହି ଲୋକ ତାଙ୍କ ସହ ସମ୍ପର୍କ ରଖିଲେ ଜରିମନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଗଙ୍ଗାଧର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ଥାନାରେ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ବସି ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ହେଲେ ଗାଁର କିଛି ବ୍ୟକ୍ତି ନିଷ୍ପତ୍ତିକୁ ମାନିନଥିଲେ । ମଙ୍ଗଳବାର ରାତିରେ ଗାଁ ସଭାପତିଙ୍କ ନିର୍ଦ୍ଦେଶରେ କିଛି ବ୍ୟକ୍ତି ଗଙ୍ଗାଧରଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସାନ ପୁଅ ପ୍ରଦୀପ୍ତଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରୁ ପ୍ରଦୀପ୍ତଙ୍କ ଶାଶୁ, ଶ୍ବଶୁର ଏବଂ ସମିତିସଭ୍ୟା ଭାଉଜ ପିଙ୍କି ମଧ୍ୟ ବର୍ତ୍ତିନଥିଲେ । ଶେଷରେ ଦୁର୍ବୃତ୍ତମାନେ ପ୍ରଦୀପ୍ତଙ୍କ ଘରେ ପଶି ବିଭିନ୍ନ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ନୂଆଗାଁ ଥାନା ପୋଲିସ ଖବର ପାଇ ଗାଁକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା । ଆହତ ମାନେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା କହିବା ସହ ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି କହିଛି । ପୋଲିସ ଏନେଇ କୋଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।   

You Can Read:

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତର କାର୍ଯ୍ୟସୂଚୀ ବଦଳିଲା, ୨୩ରେ ରାଇରଙ୍ଗପୁର ଓ ୨୪ରେ ଆସିବେ ବାଙ୍ଗିରିପୋଷି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.