ହତ୍ୟାକାରୀ ସାଜିଲା ସାବତ ମାଆ, ନାବାଳିକା ଝିଅକୁ ପିଟିପିଟି ମାରିଦେଲା

Published By : Prameya-News7 Bureau | October 24, 2024 IST

ଖଣ୍ଡପଡା ୨୪/ ୧୦: ନିଷ୍ଠୁର ସାବତ ମାଆ । ନାବାଳିକା ଝିଅକୁ ପିଟିପିଟି କଲା ହତ୍ୟା । ନୟାଗଡ ଜିଲ୍ଲା ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତ ପୋଡାସାହି ଗାଁରେ ଅଭାବନୀୟ କାଣ୍ଡ ଘଟିଛି । ୨୦ ଟଙ୍କାର ଦହିବରା ଖାଇଦେଲା ବୋଲି ସାବତ ଝିଅକୁ ନିର୍ଦ୍ଦୟ ଭାବରେ ପିଟିପିଟି ମାରିଦେଲା ମାଆ । ବାପା ନଥିବାର ସୁଯୋଗ ନେଇ ସାବତ ମାଆ ଏମିତି କାଣ୍ଡ କରିଥିବା ଅଭିଯୋଗ ହୋଇଛି ।

୨୦ ବର୍ଷ ତଳେ ସୁକୁଟା ସ୍ବାଇଁ ଶାଳପଡାର ଶଶୀ ସ୍ବାଇଁଙ୍କୁ ବିବାହ କରିଥିଲେ । ୯ ବର୍ଷ ପୂର୍ବରୁ ଶଶୀଙ୍କର ମୃତ୍ୟୁ ହୋଇସାରିଛି । ଉଭୟଙ୍କର ୨ଟି ଝିଅ ଥିଲେ । ବଡ ଝିଅକୁ ପଡୋଶୀ ଝିଅ କରି ନେଇଯାଇଥିବାବେଳେ ସାନ ଝିଅ ତୁଳସୀ ବାପାଙ୍କ ପାଖରେ ଥିଲା । ସୁକୁଟା କିଛି ବର୍ଷ ହେବ କଳପଙ୍ଗି ଗାଁର ମଣ୍ଡା ସ୍ବାଇଁଙ୍କୁ ଦ୍ବିତୀୟ ବିବାହ କରିଥିବାବେଳେ ତାଙ୍କର ୪ ମାସର ପୁଅଟିଏ ଅଛି । ତେବେ ମଣ୍ଡା ସବୁବେଳେ ତୁଳସୀକୁ ନିର୍ଯାତନା ଦେଉଥିବା ପାଖ ଲୋକ କହିଛନ୍ତି । 

ମଙ୍ଗଳବାର ତୁଳସୀ ସ୍କୁଲ ଯାଇଥିବାବେଳେ ବାଟରେ ୨୦ ଟଙ୍କାର ଦହିବରା କିଣି ଖାଇଦେଇଥିଲା । ଆଉ ଏଇ ସାମାନ୍ୟ କଥାରେ ସେ ଝିଅକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ମୃତଦେହକୁ ମଶାଣିରେ ପୋଡିଦେବାକୁ ଉଦ୍ୟମ କରୁଥିଲେ । ମୃତକଙ୍କ ମାମୁଁ ଘର ଲୋକ ମଶାଣିରେ ପହଞ୍ଚି ଅଟକାଇବା ସହ ପୋଲିସରେ ଖବର କରିଥିଲେ । ଖସି ପଳାଉଥିବା ସାବତ ମାଆକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.