ପ୍ରଥମଥର ଭାରତୀୟ ମାଟିରୁ ହେଲା ପବିତ୍ର କୈଳାଶ ପର୍ବତର ଦର୍ଶନ, ଆଉ ଆବଶ୍ୟକ ପଡିବନି ଚୀନ୍ ଅନୁମତି

Published By : Prameya-News7 Bureau | October 05, 2024 IST

ଡେରାଡୁନ ୫।୧୦: ଭାରତୀୟ ଲୋକେ ପ୍ରଥମ ଥର ନିଜ ଦେଶ ମାଟିରୁ କୈଳାଶ ପର୍ବତ ଦର୍ଶନ କରିଛନ୍ତି, ଯାହାକୁ ମହାଦେବ ଶିବଙ୍କ ନିବାଶ ସ୍ଥାନ ମନେ କରାଯାଏ। ଏହି ଐତିହାସିକ ଘଟଣା ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ବ୍ୟାସ ଘାଟିସ୍ଥିତ ପୁରୁଣା ଲିପୁଲେଖ ପାସ୍‌ ରେ ହୋଇଛି। ଏହା ପୂର୍ବରୁ ଭାରତୀୟ ତୀର୍ଥ ଯାତ୍ରୀଙ୍କୁ କୈଳାଶ ପର୍ବତ ଦର୍ଶନ ନିମନ୍ତେ ତୀବ୍ବତ ଯିବାକୁ ପଡୁଥିଲା, ଯେଉଁଥି ପାଇଁ ଚୀନ୍‌ର ଅନୁମତି ଆବଶ୍ୟକ ପଡୁଥିଲା। 

କୈଳାଶ ପର୍ବତନ ଦର୍ଶନ ନିମନ୍ତେ ଏହି ଐତିହାସିକ ଯାତ୍ରାରେ ୫ ତୀର୍ଥ ଯାତ୍ରୀଙ୍କ ପ୍ରଥମ ଟିମ୍ ଅକ୍ଟୋବର ୨ ତାରିଖ ଦିନ ଗୁଞ୍ଜି କ୍ୟାମ୍ପ ପହଞ୍ଚିଥିଲେ। ପିଥୋରାଗଡ଼ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୃତିଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ତୀର୍ଥ ଯାତ୍ରୀଙ୍କୁ ମାତ୍ର ଅଢେଇ କିଲୋମିଟର ପାହାଡ଼ ଚଢିବାକୁ ପଡିଥିଲା ଓ ସେମାନେ ପାହାଡ଼ ଚଢି କୈଳାଶ ପର୍ବତ ଦର୍ଶନ କରିଛନ୍ତି। ଯେତେବେଳେ ସେମାନେ ପବିତ୍ର ପର୍ବତ ଦର୍ଶନ କଲେ ସେମାନଙ୍କ ଆଖିରୁ ଅଶ୍ରୁ ନିଗିଡି ପଡିଥିଲା। ଏହା ସେମାନଙ୍କ ଲାଗି ଅଦ୍ୱିତୀୟ ଭାବନାତ୍ମକ ଅନୁଭବ ଥିଲା। 

କିଛିମାସ ପୂର୍ବରୁ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ, ସୀମା ସଡ଼କ ସଙ୍ଗଠନ (ବିଆରଓ) ଏବଂ ଭାରତ-ତୀବ୍ବତ ସୀମା ପୋଲିସ (ଆଇଟିବିପି) ଅଧିକାରୀଙ୍କ ଏକ ଟିମ ଭାରତ ସୀମାରୁ କୈଳାଶ ପର୍ବତର ସ୍ପଷ୍ଟ ଦର୍ଶନ ନିମନ୍ତେ ଏହି ସ୍ଥାନର ସନ୍ଧାନ କରିଥିଲେ। ଉତ୍ତରାଖଣ୍ଡ ସରକାର କୈଳାଶ ପର୍ବତ ଦର୍ଶାନାର୍ଥୀଙ୍କ ନିମନ୍ତେ ବିସ୍ତୃତ ଯାତ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଏହି ଯାତ୍ରା କାଳରେ ତୀର୍ଥଯାତ୍ରୀ ପ୍ରଥମେ ଚାରଧୁଲାରେ ସ୍ୱାସ୍ଥ୍ୟ ଯାଞ୍ଚ କରାଇବେ ଓ ସେହିଠାରେ ସେମାନଙ୍କୁ କୈଳାଶ ପର୍ବତ ଯାତ୍ରା ଅନୁମତି ମିଳିବ। 

ଏଥି ପାଇଁ ପ୍ରଥମ ଦିନ ସେମାନଙ୍କୁ ହେଲିକପ୍ଟର ଯୋଗେ ପିଥୋରାଗଡ଼ରୁ ଗୁଞ୍ଜି ପହଞ୍ଚାଯିବ। ସେଠାରେ ତୀର୍ଥଯାତ୍ରୀ ରାତ୍ରି ଯାପନ କରିବେ। ଦ୍ୱିତୀୟ ଦିନ ସେମାନେ କାର ଯୋଗେ ଆଦି କୈଳାଶ ଦର୍ଶନ ନିମନ୍ତେ ଜୋଲିଂକଙ୍ଗ ପହଞ୍ଚାଯିବ। ସେମାନେ ଅପରାହ୍ନରେ ପୁଣି ଗୁଞ୍ଜି ଫେରି ରାତ୍ରି କଟାଇବା ପରେ ତୃତୀୟ ଦିନ ତୀର୍ଥ ଯାତ୍ରୀ କୈଳାଶ ଭ୍ୟୁ ପଏଣ୍ଟକୁ ଯିବେ ଓ ପୁଣି ଫେରିବେ। ଚତୁର୍ଥ ଦିନ ସେମାନଙ୍କୁ ହେଲିକପ୍ଟର ଯୋଗେ ପିଥୋରାଗଡ଼ ଫେରାଇ ଅଣାଯିବ। 

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ସଫଳ ଯାତ୍ରା ଆୟୋଜନ ନିମନ୍ତେ ସମସ୍ତ ସମ୍ପର୍କିତ ବିଭାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଏବେ ତୀର୍ଥଯାତ୍ରୀଙ୍କୁ ଆଉ କୈଳାଶ ମାନସରୋବର ଯିବାକୁ ପଡିବ ନାହିଁ ଓ ସେମାନେ ଭାରତୀୟ ସୀମା ମଧ୍ୟରେ କୈଳାଶ ପର୍ବତ ଦର୍ଶନ କରିପାରିବେ। ଏହି ଅବସରରେ ପର୍ଯ୍ୟଟନମନ୍ତ୍ରୀ ସତପାଲ ମହାରାଜ ଏହି ଯାତ୍ରାକୁ ଐତିହାସିକ କହିବା ସହିତ ରାଜ୍ୟ ସରକାର ଶିବ ଭକ୍ତଙ୍କୁ ଏକ ଅନନ୍ୟ ଓ ସ୍ମରଣୀୟ ଅନୁଭବ ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି। 

କୈଳାଶ ମାନସରୋବର ଯାତ୍ରା କୋଭିଡ ସମୟରେ ୩ ବର୍ଷ ବନ୍ଦ ଥିଲା। ଗତବର୍ଷ ଚୀନ୍ ଏଥି ପାଇଁ ଭିସା ଦେବା ଆରମ୍ଭ କରିଥିଲା। ତେବେ ଏଥି ପାଇଁ ନିୟମ କଡ଼ାକଡି କରିଥିଲା। ଯାତ୍ରା ଶୁଳ୍କକୁ ବଢାଇ ଦୁଇଗୁଣା କରିଦେଇଥିଲା। ଉଦାହରଣ ସ୍ୱରୂପ ଯଦି ତୀର୍ଥ ଯାତ୍ରୀ ନେପାଳରୁ ସାଙ୍ଗରେ ସହାୟକଙ୍କୁ ନେବାକୁ ଚାହିଁବେ ତେବେ ତାଙ୍କୁ ଅତିରିକ୍ତ ୩୦୦ ଡଲାର ଅର୍ଥାତ ୨୫ ହଜାର ଟଙ୍କା ଦେବାକୁ ପଡିବ। ଏହାକୁ ‘ଗ୍ରାସ୍ ଡ୍ୟାମେଜିଂ’ ବି କୁହାଯାଏ। ଯାହାର ତର୍କ ହେଉଛି ମାନସରୋବର ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ପାଦରେ କୈଳାଶ ପର୍ବତ ଆଖପାଖର ଘାଷ ନଷ୍ଟ ହୁଏ, ଯାହାର ଭରଣା ଚୀନ୍‌ ତୀର୍ଥଯାତ୍ରୀଙ୍କ ଠାରୁ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.